କେନ୍ଦୁଝର,୧୫ା୧୦(ସ୍ବ.ପ୍ର.): ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ସଦର ବ୍ଲକ ପଳାଶପଙ୍ଗାସ୍ଥିତ ଓଡ଼ିଶା ସ୍ପଞ୍ଜ ଲୁହା କାରଖାନା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ତେବେ ଆରମ୍ଭ ନ ହେଉଣୁ ନିଯୁକ୍ତି ଓ ବିଭିନ୍ନ ଦାବିରେ ଆନ୍ଦୋଳନ ମୁଣ୍ଡ ଟେକୁଥିବାରୁ କାରଖାନାର ଭବିଷ୍ୟତକୁ ନେଇ ଅନେକ ଚିନ୍ତାରେ ରହିଛନ୍ତି। ଶନିବାର ବିଧାୟକ ମୋହନ ମାଝିଙ୍କ ନେତୃତ୍ୱରେ କାରଖାନା ଫାଟକ ଆଗରେ କ୍ଷତିଗ୍ରସ୍ତ ପଳାଶପଙ୍ଗା, ରାଇକଳା ଓ କଣ୍ଡରାପଶି ପଞ୍ଚାୟତର ଲୋକମାନେ ଆନ୍ଦୋଳନ କରିଥିଲେ। ପରେ କାରଖାନାର ପରିଚାଳକଙ୍କ ସହିତ ଆଲୋଚନା କ୍ରମେ ଅପରାହ୍ନରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇ ବ୍ୟାପକ ପୋଲିସ ଫୋର୍ସ କାରଖାନା ଓ ଆନ୍ଦୋଳନସ୍ଥଳ ନିକଟରେ ମୁତୟନ ହୋଇଥିଲେ।