ବିଦ୍ୟୁତ୍‌ କାଟ ବନ୍ଦ, ଦର ହ୍ରାସ ଦାବିରେ ବିକ୍ଷୋଭ

ଅନୁଗୋଳ,୨୮।୬(ଅମିତ କୁମାର ସାମଲ): ଅଘୋଷିତ ବିଦ୍ୟୁତ୍‌ କାଟ ବନ୍ଦ ଏବଂ ବର୍ଦ୍ଧିତ ବିଦ୍ୟୁତ୍‌ ଦର ହ୍ରାସ ଦାବିରେ ମଙ୍ଗଳବାର ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅନୁଗୋଳ ଜିଲା କଂଗ୍ରେସ ପକ୍ଷରୁ ସଭାପତି ସଂଗ୍ରାମ ମିଶ୍ରଙ୍କ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରା ବାହାରି ବଜାର ଛକ ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ବିକ୍ଷୋଭ ପ୍ରଦର୍ଶନ ପରେ ଜିଲା ସଭାପତି ଏବଂ ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ରଙ୍କ ସହ ନେତୃବର୍ଗ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲାପାଳ (ରାଜସ୍ବ) ରଜନୀକାନ୍ତ ସ୍ବାଇଁଙ୍କୁ ପ୍ରଦାନ କରିଥିଲେ।
ଜିଲା କଂଗ୍ରେସ ସଭାପତି ମିଶ୍ର କହିଛନ୍ତି ବିଦ୍ୟୁତ୍‌ ବିତରଣକାରୀ କମ୍ପାନୀ ଟାଟା ପାଓ୍ବାରର ମନମୁଖି ଓ ଅଘୋଷିତ ବିଜୁଳି କାଟ ଯୋଗୁ ଅନୁଗୋଳ ଜିଲାବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ଅନୁଗୋଳ ଜିଲାରେ ଅନେକ କମ୍ପାନୀ ବିଦ୍ୟୁତ ଉପତ୍ାଦନ କରୁଥିବା ବେଳେ ଏଠାରୁ ଅନ୍ୟ ରାଜ୍ୟକୁ ବିଦ୍ୟୁତ୍‌ ବିକ୍ରି କରାଯାଉଛି। ମାତ୍ର ଅନୁଗୋଳ ଜିଲାବାସୀଙ୍କୁ ବିଦ୍ୟୁତ୍‌ କଷ୍ଟରେ ରହିବାକୁ ପଡୁଛି। ତେଣୁ ଅନୁଗୋଳରେ ବିଦ୍ୟୁତ୍‌ ସମସ୍ୟାର ସମାଧାନ, ଜିଲାବାସୀଙ୍କୁ ବିନା ମୂଲ୍ୟରେ ବିଦ୍ୟୁତ୍‌ ସେବା ପ୍ରଦାନ, ୧୦୦ ୟୁନିଟ୍‌ରୁ ଅଧିକ ବ୍ୟବହାରକାରୀଙ୍କୁ ୫୦ ପ୍ରତିଶତ ଶୁଳ୍କ ରିହାତି ଦିଆଯିବା, ବିଲ୍‌ ଆଦାୟ ବେଳେ ଜୁଲମ ନ କରିବା ଆଦି ଦାବି କରାଯାଇଛି। ତୁରନ୍ତ ଏହା ଉପରେ ପଦକ୍ଷେପ ନିଆ ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଜିଲା କଂଗ୍ରେସ ସଭାପତି ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଅମ୍ବିକା ଭଟ୍ଟ, ବଲ୍‌ବୀର ସିଂହ, ଦୁଷ୍ମନ୍ତ ଦଳବେହେରା, ବିଜୟାନନ୍ଦ ଚାଉଳିଆ, ପ୍ରଫୁଲ୍ଲ ଦାସ, କେଶବ ଭୂତିଆ, ଦିଗାମ୍ବର ଗଡନାୟକ, ଅମୂଲ୍ୟ ସାହୁ, ବିମଳ ବେହେରା, ରାକେଶ ମିଶ୍ର, ବିନୋଦ ମାଝି, ହାଡିବନ୍ଧୁ ବିଶ୍ୱାଳ, ଜୟନ୍ତ ସାହୁ, ସୁଶାନ୍ତ ସାମଲ, ଅମୀୟ ସାହୁ, ପ୍ରଦୀପ ନାୟକ, ହେମନ୍ତ ମହାଳିକ, ତପସ୍ବିନୀ ବିଶ୍ୱାଳ, ଟିକନ ବେହେରା, କାଶୀଦା ଖାନ୍‌, ଲୁଟୁ ରଞ୍ଜନ ଥାପା, ଲୁଲୁ ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ସାହୁ, ସାହିଲ୍‌ ପ୍ରଧାନ, ସଂଗ୍ରାମ କୁଅଁର ପ୍ରମ୍ମୁଖ ଉପସ୍ଥିତ ଥିଲେ।