Categories: ଜାତୀୟ

ତ୍ରିପୁରା ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ଦିଲ୍ଲୀରେ ବିକ୍ଷୋଭ

ନୂଆଦିଲ୍ଲୀ, ୨୩।୧୧: ତ୍ରିପୁରାରେ ଟିଏମ୍‌ସିର ଯୁବନେତ୍ରୀଙ୍କ ଉପରେ ପୋଲିସର ବର୍ବରତା ଓ ଗିରଫଦାରି ପ୍ରତିବାଦରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ବାହାରେ ଦଳର ଏମ୍‌ପିମାନେ ଧାରଣାରେ ବସିଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ତ୍ରିପୁରାରେ ଘଟିଥିବା ହିଂସାକାଣ୍ଡ ପାଇଁ ଆମେ ମୋଦି ଓ ଶାହାଙ୍କଠାରୁ ଜବାବ ଚାହୁଁ ବୋଲି ଟିଏମ୍‌ସି ନେତା ସୁଖେନ୍ଦୁ ଶେଖର ରାୟ କହିଛନ୍ତି। ପରେ ଅମିତ ଶାହା ଏମ୍‌ପିମାନଙ୍କ ପ୍ରତିନିଧି ଦଳକୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି।
ଶନିବାର ରାତିରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଏକ ସଭାରେ ଯୋଗ ଦେଇଥିବାବେଳେ ଅଭିନେତ୍ରୀରୁ ଟିଏମ୍‌ସି ନେତ୍ରୀ ପାଲଟିଥିବା ସାୟନୀ ଘୋଷ ସେଠାରେ ଖେଲା ହୋବେ ସ୍ଲୋଗାନ ଦେବା ସହ ସଭାକୁ ଭଣ୍ଡୁର କରିବାକୁ ଉଦ୍ୟମ କରିଥିଲେ। ଏହା ପରେ ରାଜ୍ୟ ପୋଲିସ ତାଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ଲଗାଇଛି। ଏହା ପରେ ଦଳୀୟ କର୍ମୀମାନେ ଥାନା ବାହାରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ତ୍ରିପୁରାରେ ପୌର ନିର୍ବାଚନ ପ୍ରଚାର ଚାଲିଥିବାବେଳେ ବିରୋଧୀ ଦଳଗୁଡ଼ିକ ପ୍ରତି ହିଂସା ଘଟଣା ରୋକିବାରେ ସରକାର ବିଫଳ ହୋଇଛନ୍ତି। ନଭେମ୍ବର ୧୧ରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବଢ଼ିଚାଲିଛି। ସରକାରଙ୍କ ବିରୋଧରେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଟିଏମ୍‌ସି ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଏ.ଏସ୍‌. ବୋପାନ୍ନାଙ୍କ ଖଣ୍ଡପୀଠ ମଙ୍ଗଳବାର ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି।

Share