ଦରବୃଦ୍ଧି ପ୍ରତିବାଦରେ ସବୁ ଜିଲାରେ ଆନ୍ଦୋଳନ ପ୍ରସ୍ତୁତି

ଭୁବନେଶ୍ୱର, ୩।୧୧(ବ୍ୟୁରୋ): ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ପ୍ରତିବାଦରେ ଯୁବକଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ବିରୋଧରେ ସୋମବାର କଂଗ୍ରେସ ଭବନଠାରୁ ଏକ ର଼୍ୟାଲି ବାହାରି ମାଷ୍ଟରକ୍ୟାଣ୍ଟିନ୍‌ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ବିକ୍ଷୋଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏହି ଅବସରରେ ସ୍ମୃତିରଞ୍ଜନ କହିଛନ୍ତି, ବର୍ତ୍ତମାନ ସମଗ୍ର ଦେଶ ଓ ରାଜ୍ୟ କରୋନା ମହାମାରୀ ସହ ଲଢ଼େଇ କରୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ଘଟିବା ଜନସାଧାରଣଙ୍କ ପାଇଁ ବୋଝ ଉପରେ ନଳିତାବିଡା ସଦୃଶ। ମୋଦିଙ୍କ ଆଚ୍ଛେ ଦିନ୍‌ ରାଜ୍ୟରେ ତଥା ଦେଶରେ ଅନିୟନ୍ତ୍ରିତ ଦରଦାମ୍‌ରୁ ପ୍ରକଟିତ ହୋଇଛି। ଉଭୟ ସରକାର ଏ ବ୍ୟବସ୍ଥାରେ ସୁଧାର ପାଇଁ ଆଦୌ ଚିନ୍ତା କରୁନାହାନ୍ତି। ଦରଦାମ୍‌ ବୃଦ୍ଧିକୁ ନେଇ ଏକ ନିର୍ଦ୍ଦିଷ୍ଟ ଯୋଜନା କରିବା ପରିବର୍ତ୍ତେ ଦୋଷ କାହାର ବୋଲି କାଦୁଅ ଫୋପଡ଼ା ଫୋପଡ଼ି ଚାଲିଛି। ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅତି ଦାୟିତ୍ୱହୀନ ଭାବେ ‘ନିକଟରେ ପିଆଜ ଦର କମିବାର ନାହିଁ’ ବୋଲି ମନ୍ତବ୍ୟ ଦେଉଛନ୍ତି। ରାଜ୍ୟ ସରକାର କୃଷି କର୍ମଣ ପୁରସ୍କାର ପାଉଥିବା ବେଳେ ରାଜ୍ୟରେ କୃଷକ ଆମତ୍ହତ୍ୟା କରୁଛନ୍ତି ଏବଂ ପନିପରିବା ଦର ଆକାଶଛୁଆ ହୋଇଛି। ତୁରନ୍ତ ଦରଦାମ୍‌ ବୃଦ୍ଧିର ନିୟନ୍ତ୍ରଣ କରା ନ ଗଲେ ଯୁବକଂଗ୍ରେସ ସବୁ ଜିଲାରେ ବିକ୍ଷୋଭ କରିବ ବୋଲି ସ୍ମୃତିରଞ୍ଜନ ଚେତାବନୀ ଦେଇଛନ୍ତି।

Share