ଗଭର୍ନରଙ୍କ ଗିରଫ ପ୍ରତିବାଦରେ ରୁଷିଆରେ ବିକ୍ଷୋଭ

ଖବରୋଭସ୍କ,୨୬ା୭: ଏକ ହତ୍ୟା ଅଭିଯୋଗରେ ରୁଷିଆର ଆଞ୍ଚଳିକ ଗଭର୍ନର ସେର୍‌ଗେଇ ଫୁର୍‌ଗାଲଙ୍କୁ ଗିରଫ କରାଯିବା ପ୍ରତିବାଦରେ ଶନିବାର ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ। ଚାଇନା ସୀମାକୁ ଲାଗିଥିବା ରୁଷିଆର ଖବରରୋଭସ୍କ ସହରରେ ସେମାନେ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ଗଭର୍ନର ଗିରଫ ଘଟଣାର ପ୍ରତିବାଦରେ ଦୁଇ ସପ୍ତାହ ହେଲା ବିକ୍ଷୋଭ ଜାରି ରହିଥିବାବେଳେ କ୍ରେମଲିନ୍‌ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ସର୍ଗେଇ ୯ ତାରିଖରୁ ଗିରଫ ହୋଇ ମସ୍କୋ ଜେଲ୍‌ରେ ରହିଥିବାବେଳେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ତାଙ୍କ ଉତ୍ତରାଧିକାରୀଙ୍କ ନାଁ ଘୋଷଣା କରିସାରିଛନ୍ତି। ସର୍ଗେଇଙ୍କ ବିରୋଧରେ ଅଭିଯୋଗର କୌଣସି ପ୍ରମାଣ ନ ଥିବାରୁ ନିଜ ସହରରେ ତାଙ୍କର ବିଚାର କରିବାକୁ ବିକ୍ଷୋଭକାରୀ ଦାବି କରିଛନ୍ତି। ଦୁଇ ସପ୍ତାହ ଧରି ଆନ୍ଦୋଳନ ଜାରି ରହିବା ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ୨୦୦୪-୦୫ରେ ସର୍ଗେଇ କେତେଜଣ ବ୍ୟବସାୟୀଙ୍କ ହତ୍ୟା ସହ ସମ୍ପୃକ୍ତ ଥିବା ରୁଷିଆ କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି। ସର୍ଗେଇ ଅଭିଯୋଗକୁ ଖଣ୍ଡନ କରିବା ସହ ଉକ୍ତ ସମୟରେ ସେ ବ୍ୟବସାୟ ସହ ସମ୍ପୃକ୍ତ ନ ଥିଲେ ବୋଲି କହିଛନ୍ତି।

Share