ରେଳ ମେଲ୍‌ସେବା ସ୍ଥାନାନ୍ତରଣକୁ ନେଇ ତେଜିଲା ବିରୋଧ

କେସିଙ୍ଗା,୨୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଷ୍ଟେଶନ ସ୍ଥିତ ରେଳ ଡାକସେବା(ଆର୍‌ଏମ୍‌ଏସ୍‌) ସ୍ଥାନାନ୍ତରଣକୁ ବିରୋଧ କରି କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ ପକ୍ଷରୁ ପୋଷ୍ଟ ମାଷ୍ଟର ଜେନେରାଲ ଭୁବନେଶ୍ୱରଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସୂଚନାଯାଗ୍ୟ, ରେଳ ବିଭାଗ ପକ୍ଷରୁ କେସିଙ୍ଗା ରେଳ ଷ୍ଟେଶନରେ ଥିବା ରେଳ ମେଲ୍‌ସେବା(ଆର୍‌ଏମ୍‌ଏସ)କୁ ବଲାଙ୍ଗୀର ଆର୍‌ଏମ୍‌ଏସ୍‌ ସହିତ ମିଶାଇକୁ ନିଷ୍ପତ୍ତି ହୋଇଛି। ଏପରିକି ପରବର୍ତ୍ତୀ ସମୟରେ ରେଳ ମେଲ୍‌ସେବାକୁ ସମ୍ପୂର୍ଣ୍ଣ ଭାବେ ବଲାଙ୍ଗୀରକୁ ସ୍ଥାନାନ୍ତର କରିବା ପାଇଁ ବିଭାଗ ପକ୍ଷରୁ ଯୋଜନା ରହିଛି। ଏହି ଖବର ଜାଣିବା ପରେ ସହରବାସୀ ଚିନ୍ତାରେ ପଡିଛନ୍ତି। କେସିଙ୍ଗାରେ ରେଳ ମେଲ୍‌ସେବା ୧୯୭୨ରେ ପ୍ରତିଷ୍ଠିତ ହୋଇଛି। ଦୀର୍ଘ ୫୨ବର୍ଷ ହେଲା କେସିଙ୍ଗା ଆର୍‌ଏମ୍‌ଏସ୍‌ କଳାହାଣ୍ଡି ଏବଂ ନୁଆପଡ଼ା ଜିଲାର ଲୋକଙ୍କୁ ସ୍ପିଡ୍‌ ପୋଷ୍ଟ, ପାର୍ସଲ ଏବଂ ପଞ୍ଜୀକୃତ ପୋଷ୍ଟ ଭଳି ସେବା ପ୍ରଦାନ କରି ଆସୁଛି। ବର୍ତ୍ତମାନ ଏହି ସେବାକୁ ବନ୍ଦ କରିଦେବାକୁ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହେଉଛି। ଏହାକୁ ସଂଘ ପକ୍ଷରୁ ବିରୋଧ କରାଯାଇଛି।

ଏହାପୂର୍ବରୁ, ବଲାଙ୍ଗୀରକୁ ସ୍ପିଡ ପୋଷ୍ଟ ଏବଂ ପାର୍ସଲ ସୁବିଧା ଭଳି କିଛି ସେବା ସ୍ଥାନାନ୍ତର ହୋଇଥିଲା ଫଳରେ ସ୍ଥାନୀୟ ଜନସାଧାରଣଙ୍କୁ ଏହା ଅସୁବିଧାରେ ପକାଇଥିଲା ବର୍ତ୍ତମାନ ବିଭାଗର ଏହି ପଦକ୍ଷେପ ସ୍ଥାନୀୟ ସ୍ବାର୍ଥ ଏବଂ ଆବଶ୍ୟକତାକୁ ଅଣଦେଖା କରାଯାଉଛି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏପରିକି ଆର୍‌ଏମ୍‌ଏସ୍‌ କାର୍ଯ୍ୟାଳୟ ସ୍ଥାନାନ୍ତର କରିବା ଷ୍ଟେଶନର ଉପଯୋଗିତାକୁ କ୍ଷୁର୍ଣ୍ଣ କରିବ ଏବଂ ଲୋକେ ମେଲ୍‌ସେବାରୁ ବଞ୍ଚିତ ରହିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ରେଳ ବିଭାଗ ନିଷ୍ପତ୍ତିର ପୁନର୍ବିଚାର କରି କେସିଙ୍ଗାରୁ ଆର୍‌ଏମ୍‌ଏସ୍‌ କାର୍ଯ୍ୟାଳୟ ସ୍ଥାନାନ୍ତରଣ ପ୍ରକ୍ରିୟାକୁ ବନ୍ଦ କରିବାକୁ କଳାହାଣ୍ଡି ରେଳ ଯାତ୍ରୀ ସଙ୍ଘ ତଥା ଜର୍ଣ୍ଣାଲିଷ୍ଟ ଆସୋସିଏଶନ ଟ୍ରଷ୍ଟ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି।

Share