କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ବିକ୍ଷୋଭ

କଣ୍ଟାବାଞ୍ଜି, ୧୩ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସିପକାପଡ଼ା କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ସିଲ୍‌ ସ୍ଥାନରେ ଲୋକେ ବୁଧବାର ବିକ୍ଷୋଭ କରିଥିଲେ। ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିଥିଲେ। ହେଲେ ଆନ୍ଦୋଳନକାରୀ ଅଭିଯୋଗ କରିଥିଲେ ଯେ, ସ୍ଥାନୀୟ ପୌରାଞ୍ଚଳ ଓ ଜିଲା ପ୍ରଶାସନ ୱାର୍ଡ ନଂ.୨, ୫, ୧୦ ଓ ୧୧ ୱାର୍ଡକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି। ସେହିଦିନଠାରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳର ଲୋକେ ନିଜଘରେ ବନ୍ଦ ହୋଇ ରହଛନ୍ତି। ପ୍ରଶାସନ ତରଫରୁ ସେମାନଙ୍କୁ କୌଣସି ପ୍ରକାର ସହାୟତା ଦିଆଯାଉ ନାହିଁ। ୱାର୍ଡ ନଂ.୧୦ ସିପକାପଡା ଅଧିକାଂଶ ଲୋକେ ଦିନମଜୁରିଆ ହୋଇଥିବାରୁ ଅସୁବିଧାରେ ପଡିଛନ୍ତି। ଏଣୁ ତୁରନ୍ତ କଣ୍ଟେନ୍‌ମେଣ୍ଟ ଜୋନ ଉଠାଇ ଦିଆ ଯାଉ ବୋଲି ସେମାନେ ଦାବି କରିଛନ୍ତି। ଏସ୍‌ଡିପିଓ ମହାପାତ୍ର କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ସମସ୍ତ ଜନସାଧାରଣ ଟୋଲ୍‌ ଫ୍ରି ନମ୍ବର କିମ୍ବା ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ କହିଲା ପରେ ବିକ୍ଷୋଭକାରୀମାନେ ଶାନ୍ତ ପଡିଥିଲେ ା