‘ଦେଶ ପାଇଁ ଗର୍ବର ମୁହୂର୍ତ୍ତ’

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ୭୫ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଭାରତରେ ଚେସ୍‌ ଅଲିମ୍ପିଆଡ୍‌ ଆୟୋଜନ ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଭାରତ ଚେସ୍‌ର ଉତ୍ପତ୍ତି ସ୍ଥଳ। ଅତୀତରେ ଚେସ୍‌କୁ ସତରଞ୍ଜ ଭାବେ ଖେଳାଯାଉଥିଲା। ଏହି ଖ୍ୟାତିସମ୍ପନ୍ନ କ୍ରୀଡ଼ାରେ ଓଡ଼ିଶା ଭଲ ପ୍ରଦର୍ଶନ କରି ଆସୁଛି। ଅନେକ ଓଡ଼ିଆ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ସାଉଁଟୁଛନ୍ତି। ଓଡ଼ିଶାରେ ୨୦୧୬ରେ ବିଶ୍ୱ କନିଷ୍ଠ ଚେସ୍‌ ଚାମ୍ପିୟନଶିପ୍‌ ଆୟୋଜନ କରାଯାଇଥିଲା। ଏହି ଖେଳ ପାଇଁ ବିଶେଷ କ୍ରୀଡ଼ା ଭିତ୍ତିଭୂମି କିମ୍ବା ସରଞ୍ଜାମର ଆବଶ୍ୟକତା ନାହିଁ। ରାଜ୍ୟରେ ଏହି କ୍ରୀଡ଼ାର ପ୍ରସାର ପାଇଁ ପ୍ରୋତ୍ସାହିତ କରାଯିବ। ବିଦ୍ୟାଳୟ, ମହାବିଦ୍ୟାଳୟସ୍ତରରେ ପେସାଦାର ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଚେସ୍‌ ଅଲିମ୍ପିଆଡ୍‌ ମଶାଲକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଥିବାବେଳେ ଲୋକସେବା ଭବନରେ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ ଓଡ଼ିଶାରେ ଚେସ୍‌ର ବିକାଶ ଲାଗି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଡବ୍ଲ୍ୟୁଜିଏମ୍‌ କିରଣ ମନୀଷା ମହାନ୍ତି ରିଲେ ଟର୍ଚ୍ଚକୁ ଲୋକସେବା ଭବନକୁ ଆଣିଥିଲେ। ଏହାକୁ ମୁଖ୍ୟମନ୍ତ୍ରୀ ଚେସ୍‌ ତାରକା ପଦ୍ମିନୀ ରାଉତଙ୍କୁ ହସ୍ତାନ୍ତର କରିଥିଲେ। ଓଡ଼ିଶାକୁ ମଶାଲ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି।
ଚେସ୍‌ ଅଲିମ୍ପିୟାଡ ମଶାଲ କିଟ୍‌ କନ୍‌ଭେନଶନ-ପୁରୀ-କୋଣାର୍କ ସୂର୍ଯ୍ୟ ମନ୍ଦିର ପରିକ୍ରମା କରି ଭୁବନେଶ୍ୱର ବିମାନବନ୍ଦରକୁ ବାହୁଡ଼ିବ। ସେଠାରୁ ରାୟପୁର ଅଭିମୁଖେ ଯିବ। ସୂଚନାଯୋଗ୍ୟ, ଶୁକ୍ରବାର ସକାଳୁ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ମଶାଲକୁ ସ୍ବାଗତ କରାଯାଇଥିଲା। ସେଠାରୁ ବିରାଟ ଶୋଭାଯାତ୍ରାରେ ମଶାଲକୁ ରାଜ୍ୟ ଅତିଥି ଭବନକୁ ନିଆଯିବା ପରେ ଲୋକସେବା ଭବନରେ ପହଞ୍ଚତ୍ଥିଲା। ସୂଚନାଯୋଗ୍ୟ, ଆସନ୍ତା ୨୮ରୁ ତାମିଲନାଡୁ ମହାବଲ୍ଲିପୁରମ୍‌ରେ ଚେସ୍‌ ଅଲିମ୍ପିୟାଡ୍‌ ଅନୁଷ୍ଠିତ ହେବ। ଏଥିରେ ୧୮୮ ଦେଶ ଭାଗ ନେବେ। ଓଡ଼ିଶାରୁ ପଦ୍ମିନୀଙ୍କ ସମେତ ୬ ଜଣ ଅଂଶଗ୍ରହଣ କରିବେ। ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏମ୍‌ପି ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

Share