ଝଡ଼ବର୍ଷା କ୍ଷୟକ୍ଷତିର ତୁରନ୍ତ ସହାୟତା ଦିଅ

କୁଚିଣ୍ଡା,୬ା୨(ଡି.ଏନ.ଏ.): କୁଚିଣ୍ଡା ବ୍ଲକରେ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ଏଥିରେ ଘର ଭାଙ୍ଗିବା ସହ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଛି। ପୂର୍ବରୁ ଅଦିନିଆ ବର୍ଷାରେ ଚାଷୀ ଚିନ୍ତାରେ ଥିବାବେଳେ ଝଡବର୍ଷା ସାଙ୍ଗକୁ କୁଆପଥର ମାଡ଼ ଚାଷୀଙ୍କ ଦୁଖଃକୁ ଆହୁରି ବଢାଇ ଦେଇଛି।

ଝଡ଼ବର୍ଷାରେ ଚାଷୀଙ୍କ ସୋରିଷ, ଟମାଟୋ, ବାଇଗଣ, ଆଳୁ, କୋବି, ଝୁଡଙ୍ଗ, କଖାରୁ ଆଦି ଫସଲ କ୍ଷତି ହୋଇଛି । ପାରୁଆଭାଡି, ରାମତିଲେଇମାଲ, ଗୋଛରା, ପଣ୍ଡରୀକଟା, ଉଲଣ୍ଡା, ଗୋପାଳପାଲି, କହ୍ଲେଇପାଲି, ଲଇଗୁରା, ଗୁରୁଆଁ, ବାଙ୍କେ, ତମନଗୋଡା, କର୍ଡାଖମନ, ଡୁମ୍ବେରମାଲ, କଟୁପାଲି, କୁନ୍ତରା, ରଙ୍ଗିଆଟିକ୍ରା ଆଦି ଗ୍ରାମର ଚାଷୀ କୁଆପଥର ମାଡ଼ ଯୋଗୁ ସର୍ବସ୍ବାନ୍ତ ହୋଇପଡିଛନ୍ତି। ପାରୁଆଭାଡି ପଞ୍ଚାୟତ ରାମତିଲେଇମାଲ ଛୁଟିପଡା ଗ୍ରାମର ଲକ୍ଷ୍ମୀଧର ଲୁହାଙ୍କ ଘର ଛାତ ଉଡିଯାଇଥିବା ବେଳେ ପନିପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡିଯାଇଛି। ପ୍ରଶାସନ କ୍ଷୟକ୍ଷତି ଆକଳନ କରି ତୁରନ୍ତ ସହାୟତା ପ୍ରଦାନ କରିବାକୁ ଚାଷୀ ମହଲରେ ଦାବି ହୋଇଛି।

Share