ପୁରୁଷୋତ୍ତମପୁର,୨୦ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ବିଡିଓ ବିଜୟ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ପିଙ୍କି ବେହେରା ପୌରୋହିତ୍ୟ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସ୍କା ଏମ୍ପି ପ୍ରମିଳା ବିଷୋୟୀ ଓ ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇଥଲେ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନଓ୍ବାଡି ସେଣ୍ଟର ମାଧ୍ୟମରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଥିବା ଛତୁଆ ଅତି ନିମ୍ନମାନର। ଯାହାକି ଗାଈ ଖାଇବା ଲାଗି ମଧ୍ୟ ଅନୁପଯୁକ୍ତ ବୋଲି ଜନ ପ୍ରତିନିଧିମାନେ ଅଭିଯୋଗ କରିବା ସହ ଏଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ତୁରନ୍ତ ଉନ୍ନତମାନର ଛତୁଆ ପ୍ରଦାନ ଲାଗି ଦାବି କରିଥିଲେ। ଏପରିକି ପୂର୍ବରୁ ମଧ୍ୟ ପୂର୍ବତନ ଜନପ୍ରତିନିଧିମାନେ ସମିତି ବୈଠକରେ ଛତୁଆ ନିମ୍ନମାନର ନେଇ ବାରମ୍ବାର ଅଭିଯୋଗ କରିଆସୁଥିବା ବେଳେ ବିଭାଗ ପକ୍ଷରୁ ତାହାକୁ ଗୁରୁତ୍ୱ ନ ଦେଇ ଘୋଡ଼ାଇବାରେ ଲାଗିଛନ୍ତି। ହାଣ୍ଡିଘର, ଶିକୁଳା, ଭାଟକୁମରଡା, ବଡ଼ ବରଗାଁ, ନୂଆ ଗାଁ, ଝାଡ଼ବାଇ ପଞ୍ଚାୟତରେ ପାନୀୟ ଜଳ ଘୋର ଅସୁବିଧା ଦେଖା ଦେଇଥିବାରୁ ତୁରନ୍ତ ସମାଧାନ ଲାଗି ସରପଞ୍ଚ ସମିତି ସଭ୍ୟମାନେ ଦାବି କରିଥିଲେ। କେଏନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦାୟିତ୍ୱ ହସ୍ତାନ୍ତର କରୁ ନ ଥିବାରୁ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁ ନ ଥିବା ବେଳେ ବୃଦ୍ଧ,ବୃଦ୍ଧା,ଭିନ୍ନକ୍ଷମ ଓ ବିଧବା ଗରିବ ହିତାଧିକାରୀମାନେ ଭତ୍ତା ଟଙ୍କା ପାଇ ନ ପାରି ହଇରାଣ ହେଉଥିବାର ନେଇ ସରପଞ୍ଚ ରାଜଲକ୍ଷ୍ମୀ ବେହେରା ଅଭିଯୋଗ କରିଥିଲେ। ଏହାକୁ ବିଧାୟିକା ଲତିକା ପ୍ରଧାନ ଗୁରୁତର ସହ ନେଇ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବା ଏପରିକି ପୋଲିସରେ ରିପୋର୍ଟ ଦେବା ସହ ନୂତନ ସରପଞ୍ଚଙ୍କୁ ଯଥାଶୀଘ୍ର ଦାୟିତ୍ୱ ଦେବା ଲାଗି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ପାନୀୟ ଜଳ ଯୋଗାଣ ବିଭାଗ, କୃଷି, ପ୍ରାଣୀ, ହଟିକଲଚର, ବିଦ୍ୟୁତ୍, ବନ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଆଦି ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ମାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ଉପାଧ୍ୟକ୍ଷା ମମତା ବାରିକ, ସରପଞ୍ଚ ସୁଧାକର ଗୌଡ଼, ରାଜଲକ୍ଷ୍ମୀ ବେହେରା, କମା ଦଳେଇ, ସଙ୍ଗୀତା ମହାପାତ୍ର, ଦାସ ବେହେରା, ସମିତିସଭ୍ୟ ସୀମାଞ୍ଚଳ ଗୌଡ଼, ଆଭା ପରିଡ଼ା, ଜଗନ୍ନାଥ ପାତ୍ର, ସୁଲତା ସେଠୀ ପ୍ରମୁଖଙ୍କ ସହ ବହୁ ସରପଞ୍ଚ ଓ ସମିତିସଭ୍ୟ, ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।