ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଯୋଗାଣ

ନିରାକାରପୁର,୧୯।୯(ମାନସ ଚନ୍ଦ୍ର ପଟ୍ଟନାୟକ ): ଖୋର୍ଦ୍ଧା ଜିଲା ଓରବରସିଂହ ପଞ୍ଚାୟତ ନିକଟସ୍ଥ ରାଜୁଆ, ଦୟା, ମକରା ନଦୀର ଲେଉଟାଣି ପାଣି ଯୋଗୁଁ ପଞ୍ଚାୟତର ହିରିମୂଳ ଗ୍ରାମରେ ଗତ ୨ଦିନଧରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତବର୍ଷର ଏହା ଦିତୀୟ ବନ୍ୟା। ବନ୍ୟା ଯୋଗୁ ଗାଁଟି ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ରହିଛି। ଗାଁର ମୁଖ୍ୟ ରାସ୍ତାଟି ବନ୍ୟାଜଳରେ ବୁଡି ରହିଥିବା କାରଣରୁ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି। ତେଣୁ ଗ୍ରାମର ୩୫ପରିବାରର ପ୍ରାୟ ୨ଶହରୁ ଉର୍ଦ୍ଧ ଅଧିବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଖୋର୍ଦ୍ଧା ବିଡ଼ିଓ କ୍ଷୀରାଦ୍ଦି ତନୟା ସାହୁ, ତହସିଲଦାର ବିଭାସ ପାଣିଗ୍ରାହୀ ପ୍ରମୁଖ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଗାଁଟି ଏବେ ବାହ୍ୟ ଜଗତରୁ ବିଛିନ୍ନଥିବା କାରଣରୁ ବନ୍ୟାସ୍ଥିତି ନ ଟଳିବା ପର୍ଯ୍ୟନ୍ତ ବିପନ୍ନମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଥିବା ଖୋର୍ଦ୍ଧା ବିଡ଼ିଓ କ୍ଷୀରାଦ୍ଦି ତନୟା ସାହୁ ସୂଚନା ଦେଇଛନ୍ତି। ଏତଦବ୍ୟତିତ ଜରୁରୀ କାଳୀନ ଗମନା ଗମନ ଦୃଷ୍ଟିରୁ ବିଭାଗ ପକ୍ଷରୁ ବୋଟ ବ୍ୟବସ୍ଥା ଯୋଗାଇ ଦିଆଯାଇଥିବା ତହସିଲଦାର ବିଭାସ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୋମବାର ଅପେକ୍ଷା ପାଣି ବଢୁନଥିଲେ ସୁଦ୍ଧା ଅଦ୍ୟାବଧି ଗାଁ ଭିତରେ ପ୍ରାୟ ୩ ଫୁଟର ବନ୍ୟାଜଳ ଲହଡି ମାରୁଥିବା ଜଣାପଡିଛି। ଗ୍ରାମବାସୀମାନେ ଆତଙ୍କିତ ନହେବା ପାଇଁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି। ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ସଞ୍ଜୟ ରାଟସିଂ, ସରପଞ୍ଚ ସାଗରିକା ରାଟସିଂ, ସମିତିସଭ୍ୟ ଦିନେଶ ପାଇକରାୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଧନଞ୍ଜୟ ଛୋଟରାୟ, ୱାର୍ଡ ସଭ୍ୟ ରଘୁନାଥ ବଳିୟାରସିଂ ପ୍ରମୁଖ ଉପସ୍ଥିତ ରହି ବିପନ୍ନ ମାନଙ୍କୁ ସାହାଯ୍ୟ ସହଯୋଗ କରିଛନ୍ତି।