ଭାରତୀୟ ଅଲିମ୍ପିକ ସଂଘର ଅଧ୍ୟକ୍ଷ ହେବେ ପିଟି ଉଷା

ନୂଆଦିଲ୍ଲୀ,୨୮ ।୧୧: ଭାରତର ମହାନ ଆଥଲେଟ ପିଟି ଉଷା ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ସେ ଭାରତୀୟ ଅଲିମ୍ପିକ ସଂଘ(ଆଇଓଏ)ର ଅଧ୍ୟକ୍ଷ ହେବା ଏକ ପ୍ରକାର ସ୍ଥିର ନିଶ୍ଚିତ ହୋଇଯାଇଛି । ତାଙ୍କୁ ନିର୍ବିରୋଧରେ ନିର୍ବାଚିତ କରାଯାଇପାରେ । ଡିସେମ୍ବର ୧୦ରେ ଆଇଓଏର ନିର୍ବାଚନ ହେବ । ପିଟି ଉଷା ଅଧ୍ୟକ୍ଷ ପାଇଁ ଏକମାତ୍ର ପ୍ରାର୍ଥି ରହିଛନ୍ତି । ଯଦି ସେ ବିଜୟୀ ହୁଅନ୍ତି ତେବେ ଏହି ପଦ ପାଇବାରେ ସେ ପ୍ରଥମ ମହିଳା ହେବେ ।
ପିଟି ଉଷାଙ୍କ ନାମରେ ଏସିଆଡରେ ୪ ସ୍ୱର୍ଣ୍ଣ ଓ ୭ ରୌପ୍ୟ ପଦକ ରହିଛିି । ସେ ୧୯୮୨, ୧୯୮୬, ୧୯୯୦ ଓ ୧୯୯୪ ଏସିଆଡରେ ପଦକ ଜିତିଥିଲେ । ଏହା ବ୍ୟତୀତ ତାଙ୍କ ନାମରେ ଏସିଆଡ ଚାମ୍ପିୟାନଶିପରେ ୧୪ ସ୍ୱର୍ଣ୍ଣ , ୬ ରୌପ୍ୟ ଓ ୩ ବ୍ରୋଞ୍ଚ ପଦକ ରହିଛି । ୫୮ ବର୍ଷିୟା ପିଟି ଉଷା ୧୯୮୪ ଅଲିମ୍ପିକରେ ୪୦୦ ମିଟର ବାଧା ଦୌଡରେ ଫାଇନାଲରେ ୪ର୍ଥ ସ୍ଥାନରେ ଥିଲେ ।
ଅଧ୍ୟକ୍ଷ ପଦ ପାଇଁ ରବିବାର ପିଟି ଉଷା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ୧୪ ଜଣ ଅନ୍ୟ ପ୍ରାର୍ଥି ଭିନ୍ନ ଭିନ୍ନ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିବାର ଶେଷ ଦିନ ଥିଲା ରବିବାର । ଶୁକ୍ରବାର ଓ ଶନିବାର ଆଇଓଏର ନିର୍ବାଚନ ଅଧିକାରୀ ଉମେଶ ସିହ୍ନାଙ୍କୁ କୌଣସି ନାମାଙ୍କନ ପତ୍ର ମିଳି ନ ଥିବା ବେଳେ ରବିବାର ୨୪ ଜଣ ପ୍ରାର୍ଥି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Share