Categories: ଖେଳ

କୁସ୍ତିଯୋଦ୍ଧାଙ୍କ ଉପରେ କ୍ଷୁବ୍‌ଧ ପି.ଟି. ଉଷା

ନୂଆଦିଲ୍ଲୀ, ୨୮ା୪ (ପି.ଟି.): ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ଘଟୁଥିବାରୁ ପୁଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା। ଏହାଦ୍ୱାରା ଭାରତର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି। କୁସ୍ତିଯୋଦ୍ଧାମାନେ ସମସ୍ୟା ନେଇ ଆମ ନିକଟକୁ ଆସିବା ପରିବର୍ତ୍ତେ ଧାରଣାରେ ବସିବା ଦ୍ୱାରା ସେମାନଙ୍କ ନିକଟରେ ଶୃଙ୍ଖଳାର ଅଭାବ ରହିଥିବା ମନେହେଉଛି। ଧର୍ମଘଟକାରୀଙ୍କ ନେତୃତ୍ୱ ନେଉଛନ୍ତି ବିଶିଷ୍ଟ କୁସ୍ତିଯୋଦ୍ଧା ଭିନେଶ୍‌ ଫୋଗତ, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲିକ। ଡବ୍ଲ୍ୟୁଏଫ୍‌ଆଇ ସଭାପତିଙ୍କ ବିରୋଧରେ ସେମାନେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଇଓଏ ଏପର୍ଯ୍ୟନ୍ତ ଅଭିଯୋଗର ତଦନ୍ତ କାର୍ଯ୍ୟ ଶେଷ କରି ନ ଥିବା ବେଳେ ସରକାରଙ୍କ ଦ୍ୱାରା ଗଠିତ ନିରୀକ୍ଷଣ କମିଟି ଏହାର ରିପୋର୍ଟ ଏପର୍ଯ୍ୟନ୍ତ ସାର୍ବଜନୀନ କରିନାହିଁ। ଇତିମଧ୍ୟରେ ଅଭିଯୋଗକୁ ଦୀର୍ଘ ୩ ମାସ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏଥିରେ ହତାଶ ହୋଇ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରଠାରେ ଏପ୍ରିଲ ୨୩ରୁ ପୁଣି ଧାରଣାରେ ବସିଛନ୍ତି। ଡବ୍‌ଲ୍‌ୟୁଏଫ୍‌ଆଇ ମୁଖ୍ୟଙ୍କ ଗିରଫ ଦାବିରେ ସେମାନେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଇଓଏ କାର୍ଯ୍ୟନିର୍ବାହୀ କମିଟି ବୈଠକ ପରେ ଉଷା ଖବରଦାତାମାନଙ୍କୁ କହିଛନ୍ତି, ଆଇଓଏର ଏକ କମିଟି ଓ ଆଥ୍‌ଲେଟ୍ସ କମିଶନ ରହିଛି। କୁସ୍ତିଯୋଦ୍ଧାମାନେ ରାସ୍ତାକୁ ନ ଓହ୍ଲାଇ ସେମାନଙ୍କ ସମସ୍ୟା ନେଇ ଆମ ନିକଟକୁ ଆସିବାର ଥିଲା। ଅପରପକ୍ଷେ କୁସ୍ତିଯୋଦ୍ଧାମାନେ ସେମାନଙ୍କ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଧାରଣାରୁ ଓହିବେ ନାହିଁ ବୋଲି ଅଡ଼ି ବସିଛନ୍ତି।

Share