ଇମ୍ରାନ୍‌ଙ୍କୁ ନେଇ ଚିନ୍ତା ପ୍ରକଟ କଲେ ସ୍ତ୍ରୀ ବୁଶ୍‌ରା ବିବି, ସୁରକ୍ଷା ପାଇଁ ଲେଖିଲେ ଚିଠି

ଇସଲାମାବାଦ,୧୯।୮: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନଙ୍କ ସ୍ତ୍ରୀ ବୁଶ୍‌ରା ବିବି ତାଙ୍କ ସ୍ବାମୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଆଟକ ଜେଲରେ ବିଷ ଦିଆଯାଇପାରେ ବୋଲି କହିଛନ୍ତି। ପାକ୍‌ ମିଡିଆ ଏହି ସୂଚନା ଦେଇଛି। ବୁଶ୍‌ରା ବିବି ପଞ୍ଜାବର ଗୃହ ସଚିବଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ତାଙ୍କ ସ୍ବାମୀଙ୍କୁ ରାୱଲପିଣ୍ଡିର ଅଦିିଆଲା ଜେଲକୁ ସ୍ଥାନାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି, ମୋର ସ୍ବାମୀ ବିନା କାରଣରେ ଅଟକ ଜେଲରେ ବନ୍ଦୀ ହୋଇଛନ୍ତି। ଆଇନ ଅନୁଯାୟୀ ମୋ ସ୍ବାମୀଙ୍କୁ ଅଦିିଆଲା ଜେଲକୁ ସ୍ଥାନାନ୍ତର କରାଯିବା ଉଚିତ୍‌। ରିପୋର୍ଟ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ତୋଶାଖାନା ମାମଲାରେ ଚଳିତ ମାସ ଆରମ୍ଭରେ ଗିରଫ କରାଯାଇଥିଲା।

ତାଙ୍କ ଚିଠିରେ ବୁଶ୍‌ରା ବିବି ଦାବି କରିଛନ୍ତି ଯେ, ପିଟିଆଇ ପ୍ରମୁଖଙ୍କୁ ସାମାଜିକ ତଥା ରାଜନୈତିକ ସ୍ଥିତି ଅନୁଯାୟୀ ଜେଲରେ ବି-ଶ୍ରେଣୀର ସୁବିଧା ଯୋଗାଇ ଦିଆଯାଉ, କାରଣ ସେ ଅକ୍ସଫୋର୍ଡ ସ୍ନାତକ ଏବଂ ଜାତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ। ଏହି ସମୟରେ ବୁଶ୍‌ରା ବିବି ଏହା ମଧ୍ୟ କହିଛନ୍ତି ଯେ, ଅତୀତରେ ଖାନଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଦୁଇଥର ଚେଷ୍ଟା କରାଯାଇଛି, କିନ୍ତୁ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ।

Share