Categories: ଜାତୀୟ

ଶାନ୍ତ କୁମାର ପିଟିଆଇ ମୁଖ୍ୟ

ନୂଆଦିଲ୍ଲୀ,୩୦ା୯: ଡେକାନ୍‌ ହେରାଲ୍ଡର ପ୍ରକାଶନୀ ସଂସ୍ଥା ଦି ପ୍ରିଣ୍ଟର୍ସ (ମହୀଶୂର) ପ୍ରାଇଭେଟ୍‌ ଲିମିଟେଡ୍‌ର ଶାନ୍ତ କୁମାର ଶୁକ୍ରବାର ପ୍ରେସ୍‌ ଟ୍ରଷ୍ଟ୍‌ ଅଫ୍‌ ଇଣ୍ଡିଆ (ପିଟିଆଇ) ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଲଗାତର ୨ ଥର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ଅଭିକ ସରକାରଙ୍କ ସ୍ଥାନରେ ସେ ଅବସ୍ଥାପିତ ହେବେ ଏବଂ ପିଟିଆଇ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ମୁଖ୍ୟ ଭାବେ ୧ ବର୍ଷ ଦାୟିତ୍ୱ ତୁଲାଇବେ। ୬୨ ବର୍ଷୀୟ ଶାନ୍ତ କୁମାର ୧୯୮୩ରୁ ଉପରୋକ୍ତ ପ୍ରକାଶନୀ ସଂସ୍ଥାର ବିଭିନ୍ନ ପଦପଦବୀରେ ରହିଆସିଛନ୍ତି। ସେ ଅଡିଟ୍‌ ବ୍ୟୁରୋ ଅଫ୍‌ ସର୍କ୍ୟୁଲେଶନ୍‌ (ଏବିସି)ର ମଧ୍ୟ ଅଧ୍ୟକ୍ଷ ଥିଲେ। ଏହା ପୂର୍ବରୁ ମଧ୍ୟ ୨୦୧୩-୧୪ରେ ସେ ପିଟିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ନୂଆଦିଲ୍ଲୀସ୍ଥିତ ନ୍ୟୁଜ୍‌ ଏଜେନ୍ସି ମୁଖ୍ୟାଳୟରେ ଅନୁଷ୍ଠିତ ବାର୍ଷିକ ସାଧାରଣ ବୈଠକରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Share