ଲକ୍ଷ୍ମୀଡୁଙ୍ଗୁରୀଠାରେ ନିଆରା ପୁଅ ଜିଉଁନ୍ତିଆ

ସମ୍ବଲପୁର,୧୭ା୯(ବ୍ୟୁରୋ): ସମ୍ବଲପୁର ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ନିଆରା ପୁଅ ଜିଉଁନ୍ତିଆ ବ୍ରତ ଶୁକ୍ରବାର ଲକ୍ଷ୍ମୀଡୁଙ୍ଗୁରୀଠାରେ ପାଳିତ ହୋଇଯାଇଛି । ଅଞ୍ଚଳର ମହିଳାମାନେ ସମବେତ ହୋଇ ମା’ ମଙ୍ଗଳା ମନ୍ଦିର ନିକଟସ୍ଥ ବୃକ୍ଷକୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଘଣ୍ଟଶଙ୍ଖ, ହରିବୋଲ, ହୁଳହୁଳିରେ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା । ବୃକ୍ଷଗୁଡ଼ିକର ସୁରକ୍ଷା ପାଇଁ ମହିଳାମାନେ ବନ୍ଦାଣ କରିବା ସହ ଜିଉଁନ୍ତିଆ ପିନ୍ଧାଇଥିଲେ ।
ସୂଚନାଯୋଗ୍ୟ ଯେ, ପଶ୍ଚିମ ଓଡ଼ିଶାର ମାଆମାନେ ପୁତ୍ରର ଦୀର୍ଘଜୀବନ ଓ ମଙ୍ଗଳ ମନାସୀ ପୁଅଜିଉଁନ୍ତିଆ ବ୍ରତ ରଖିଥାନ୍ତି । ସମ୍ପ୍ରତି ବିଶ୍ୱରେ ବୃକ୍ଷଛେଦନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବୃକ୍ଷର ସୁରକ୍ଷାର ଆବଶ୍ୟକତା ରହିଛି ବୋଲି ବ୍ରତଧାରୀ ମହିଳାମାନେ କହିଛନ୍ତି। ପ୍ରକୃତି ବନ୍ଧୁ ମେଘୁ ମୁଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାମାଜିକ କର୍ମୀ କାର୍ତ୍ତିକ ପ୍ରସାଦ ବହିଦାର ମୁଖ୍ୟଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ଉତ୍ସାହିତ କରିଥିଲେ । ରାମସାଗର ସାହୁ, ସୌରୀ ନାରାୟଣ ପାଣିଗ୍ରାହୀ, ଶଶାଙ୍କ ଚକ୍ରବର୍ତ୍ତୀ, ମିନାକ୍ଷୀ ଲେଙ୍କା, ଝରଣା ନାୟକ, ରମା ଜେନା, ଯମୁନା ବେହେରା, ପ୍ରତିମା କୁସୁମ, ଶଙ୍କରି ମଣ୍ଡଳ, ବିଷ୍ଣୁପଦ ବରେଇ, ମଞ୍ଜୁ ଚକ୍ରବର୍ତ୍ତୀ, କରୁଣାକର ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବନରକ୍ଷୀ ନିରୂପମା ନାୟକ ପୁଅ ଜିଉଁନ୍ତିଆ ବ୍ରତଧାରୀ ଓ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share