ପରବ ଉତ୍ସବ ସ୍ଥାନକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କୋରାପୁଟ, ୯ା୧୧ (ଅମିତାଭ ବେହେରା): ୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ କୋରାପୁଟ ଜିଲାର ଆଦିବାସୀ ଉତ୍ସବ ‘ପରବ’ ପାଳନକୁ ନେଇ ବୁଧବାର ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର ହୋଇଛି। ଗତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରିଥିବା ଏହି ଉତ୍ସବ ନିମନ୍ତେ ପ୍ରଶାସନ ପକ୍ଷରୁ ଏକ ସ୍ଥାୟୀ ପଡିଆ ଏଯାଏ ପ୍ରସ୍ତୁତ ହୋଇପାରିନାହିଁ। ଗତ କିଛି ବର୍ଷ ହେଲା ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ପଡିଆଠାରେ ଏହା ପାଳିତ ହୋଇଆସୁଛି। ଏହି ପଡିଆ କୋରାପୁଟ-ସୁନାବେଡା ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ରହିଛି। ଏଠାରେ ଉତ୍ସବ କରାଯାଉଥିବାରୁ ଜାତୀୟ ରାଜପଥରେ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ପରବ ଜିଲା ପ୍ରଶାସନ ପକ୍ଷରୁ ନଭେମ୍ବର ୨୫ରୁ ୨୯ ତାରିଖ ଯାଏ ଜାତୀୟ ରାଜପଥ ପାର୍ଶ୍ୱ ଲାଣ୍ଡିଗୁଡା କଲେଜ ପଡ଼ିଆରେ କରାଯିବାକୁ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଏନେଇ କୋରାପୁଟର ରାଜ୍ୟ ପୁରସ୍କାରପ୍ରାପ୍ତ ଯୁବ ସମାଜିକ କର୍ମୀ କାମାକ୍ଷା ପ୍ରସାଦ ମାଝୀ, ଭୂଷିତ ବିଡ଼ିକା ଓ ଆଇନଜୀବୀ ଦିଲୀପ ମହାନ୍ତି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଛନ୍ତି । ଡବ୍ଲୁ ପି ସି ୦୦୩୬୭୨୦/୨୦୨୩ ଅନୁଯାୟୀ ମାମଲାକୁ ହାଇକୋର୍ଟର ଆଇନଜୀବୀ ମାନସ ରଞ୍ଜନ ବେହେରା ପଞ୍ଜୀକୃତ କରିଛନ୍ତି। ପରବର ରୌପ୍ୟ ଜୟନ୍ତୀ ପାଳନ ବେଳେ ଟ୍ରାଫିକ୍‌ ସମସ୍ୟା ଯୋଗୁ ଯାତ୍ରା ଦେଖିବାକୁ ଆସିଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଛୋଟ ପିଲା, ମହିଳା ଓ ବୟସ୍କ ଲୋକଙ୍କୁ ୫/୬ କି.ମି. ଚାଲିବାକୁ ପଡିଥିଲା। ଗୁରୁତର ରୋଗୀଙ୍କୁ ନେଇ ଡାକ୍ତରଖାନା ଯାଉଥିବା କେତୋଟି ଆମ୍ବୁଲାନ୍ସ ଭିଡ ମଧ୍ୟରେ ଫଶି ରହିଥିଲା। ଏପରି ଅବ୍ୟବସ୍ଥା ଦୀର୍ଘ ଦୀର୍ଘ ୭ ଘଣ୍ଟା ଧରି ଲାଗି ରହିଥିଲା। ଏବେ ଜିଲା ସଂସ୍କୃତି ବିଭାଗ ୨୫ା୧୧ା୨୦୨୩ରୁ ୨୯ା୧୧ା୨୦୨୩ ପର୍ଯ୍ୟନ୍ତ ପୁଣି ୨୬ ନଂ. ଜାତୀୟ ରାଜପଥ ପାର୍ଶ୍ୱ ସରକାରୀ କଲେଜ, କୋରାପୁଟର ଖେଳ ପଡିଆରେ ପରବ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ଏହି ସମୟ ଅବଧି ମଧ୍ୟରେ ଶହୀଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲକୁ ଆସୁଥିବା ଆମ୍ବୁଲାନ୍ସ ଚଳାଚଳରେ ବାଧା ସୃଷ୍ଟି ହେବ। ଏଥିସହ ଅନ୍ୟ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଦ୍ୱାରା ସ୍ଥାନାନ୍ତର ହେଉଥିବା ରୋଗୀମାନେ ମଧ୍ୟ ସଙ୍କଟର ସମ୍ମୁଖୀନ ହେବେ। ତେଣୁ ଏସବୁକୁ ବିଚାରକୁ ନେଇ ପ୍ରସ୍ତାବିତ ସ୍ଥାନରୁ କୋରାପୁଟ ସହରର ମ୍ୟୁନିସିପାଲିଟି ଅଞ୍ଚଳରେ ଥିବା ଅନ୍ୟ ଏକ ସୁବିଧାଜନକ ସ୍ଥାନକୁ ପରବ-୨୦୨୩ ସ୍ଥାନାନ୍ତର କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ଦାଏର ଜନସ୍ବାର୍ଥ ମାମଲାରେ ନିବେଦନ କରାଯାଇଛି।

Share