ପୂଜା ଅନୁମତି ପାଇଁ ଜନସ୍ବାର୍ଥ ମାମଲା

କଟକ ଅଫିସ,୧୯ା୮: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ କମିଶନରେଟ୍‌ ପୋଲିସ ଦ୍ୱୈତନଗରୀରେ ଗଣେଶ ପୂଜା ଉପରେ କଟକଣା ଲଗାଇଛି। ପୋଲିସର ଏହି ପଦକ୍ଷେପକୁ ଚ୍ୟାଲେଞ୍ଜ କରି ମଙ୍ଗଳବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। କଟକ ନଗର ବୁଢ଼ା ଗଣେଶ କମିଟିର ସଭାପତି ଶିବାନନ୍ଦ କୁମାର ହାତୀ ଏହି ମାମଲା କରିଛନ୍ତି। ଏଥିରେ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍‌ କମିଶନର, ପୋଲିସ କମିଶନର, କଟକ ଜିଲାପାଳ, କଟକ ଡିସିପି, କଟକ ମହାନଗର ନିଗମ କମିଶନର, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଆବେଦନରେ ଦର୍ଶାଯାଇଛି ଯେ, କଟକ ଓ ଭୁବନେଶ୍ୱରରେ ଗଣେଶ ପୂଜା ହେଉଛି ଅନ୍ୟତମ ବଡ଼ ଉତ୍ସବ। ବକ୍ସିବଜାର ବଣିଆ ସାହିରେ ପ୍ରାୟ ୬ ଶହ ବର୍ଷ ହେଲା ଗଣେଶ ପୂଜା ପାଳିତ ହୋଇଆସୁଛି। ସହରର ଅନ୍ୟ ସ୍ଥାନରେ ପ୍ରାୟ ୪ ଶହ ବର୍ଷ ହେଲା ପୂଜା ଆୟୋଜିତ ହେଉଛି। ସଂକ୍ରମଣ ରୋକିବା ପାଇଁ ସରକାର ଯାହା ପଦକ୍ଷେପ ଠିକ୍‌ ଭାବୁଛନ୍ତି, ତାହା କାର୍ଯ୍ୟକାରୀ କରିପାରିବେ। କିନ୍ତୁ ସମ୍ବିଧାନରେ ନାଗରିକଙ୍କୁ ଧାର୍ମିକ ସ୍ବାଧୀନତା ଦିଆଯାଇଛି। ତେଣୁ ପୂଜାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଅସାମ୍ବିଧାନିକ ନିଷ୍ପତ୍ତି। ପୂଜା କମିଟିଗୁଡ଼ିକ ଜାକଜମକ ବିନା କେବଳ ମୂର୍ତ୍ତି ପୂଜା ପାଇଁ ଆଗ୍ରହୀ ଅଛନ୍ତି। ୧୦ରୁ ୨୦ ଜଣ ଭକ୍ତଙ୍କୁ ନେଇ କେବଳ ପୂଜା ବିଧି ହୋଇପାରିବ। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ଓ ମାସ୍କ ପିନ୍ଧାଯିବ। ବିନା ଜନଗହଳିରେ ବିସର୍ଜନ ମଧ୍ୟ କରାଯିବ। ତେଣୁ ଗଣେଶ ପୂଜା ବନ୍ଦ କରିବା ନେଇ ପକ୍ଷଭୁକ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ଓ ପୂଜା ପାଇଁ ଅନୁମତି ଦେବାକୁ କୋର୍ଟଙ୍କ ପାଖରେ ନିବେଦନ କରାଯାଇଛି।

Share