ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୬।୪: ରାଜ୍ୟରେ ବିଦ୍ୟୁତ୍‌ ଦର ବୃଦ୍ଧିର ପ୍ରତିବାଦ କରି ସୋମବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ଏଥିରେ ରାଜ୍ୟ ସରକାର, ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆର୍‌ସି)ଙ୍କ ସମେତ ୧୧ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଏହି ମାମଲା ରୁଜୁ କରିଛନ୍ତି।
ଗତ ୨୭ତାରିଖରେ ଓଇଆର୍‌ସି ୟୁନିଟ ପିଛା ୩୦ପଇସା ବୃଦ୍ଧି କରିଥିଲେ। ଫଳରେ ପ୍ରଥମ ୫୦ ୟୁନିଟ ପିଛା ୩ଟଙ୍କା, ସେହିପରି ୫୧ରୁ ୨୦୦ ୟୁନିଟ ଦର ୟୁନିଟ ପିଛା ୪ଟଙ୍କା ୮୦ ପଇସା, ୨୦୦ରୁ ୪୦୦ ୟୁନିଟ ବ୍ୟବହାର କରୁଥିବା ଉପଭୋକ୍ତଙ୍କୁ ୟୁନିଟ ପିଛା ୫ଟଙ୍କା ୮୦ ପଇସା ଏବଂ ୪୦୦ ୟୁନିଟରୁ ଅଧିକ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ୬ ଟଙ୍କା ୨୦ ପଇସା ଦେବାକୁ ପଡ଼ୁଛି। ଏହି ବର୍ଦ୍ଧିତ ଦର ଗତ ୪ତାରିଖ ଠାରୁ ଲାଗୁ ହୋଇଛି। ବିଦ୍ୟୁତ୍‌ ଦର ବୃଦ୍ଧି ଫଳରେ ସାଧାରଣ ଉପଭୋକ୍ତା ଅତିଷ୍ଠ ହୋଇପଡ଼ିଛନ୍ତି ବୋଲି ଆବେଦନରେ ଦର୍ଶାଯାଇଛି। ପ୍ରକାଶ ଯେ, ଓଇଆର୍‌ସି ଗତ ୬ମାସ ମଧ୍ୟରେ ୨ଟି ପର୍ଯ୍ୟାୟରେ ୟୁନିଟ ପିଛା ୫୦ପଇସା ବୃଦ୍ଧି କଲେଣି। ଏହାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯାଇଛି। ଏପରି କି ବିରୋଧୀ ଗତ ବିଧାନସଭା ଅଧିବେଶନରେ ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତ୍ୟାହାର ପାଇଁ ସରକାରଙ୍କ ଉପରେ ଚାପ ପକାଇଥିଲେ। ପରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏନେଇ ପୁନର୍ବିଚାର କରିବାକୁ ଓଇଆର୍‌ସିକୁ ଚିଠି ଲେଖିଥିଲେ। ମାତ୍ର ଇତିମଧ୍ୟରେ ଓଇଆର୍‌ସି ବିଦ୍ୟୁତ୍‌ ଶୁଳ୍କ ହ୍ରାସ କରିନଥିବା ଆବେଦନକାରୀ ଦର୍ଶାଇଛନ୍ତି।

Share