ବଜେଟ୍‌ ପ୍ରସ୍ତୁତି ପାଇଁ ଜନସାଧାରଣଙ୍କଠାରୁ ସଂଗ୍ରହ କରାଯିବ ମତାମତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୬: ଅର୍ଥ ବିଭାଗ ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କର ମତାମତ ନେଇ ବଜେଟ୍‌ରେ ପୂର୍ବ ପ୍ରସ୍ତୁତି କରିଆସୁଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ସୂଚାଇ ଦେବାକୁ ଚାହେଁ ଯେ,ବର୍ତ୍ତମାନର ସରକାର ଲୋକଙ୍କ ସରକାର। ତେଣୁ ବଜେଟ୍‌ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତ ତଥା ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ ଅଟେ। ବଜେଟ୍‌ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ କରାଯିବାର ଆବଶ୍ୟକତା ରହିଛି।

ଏଥିପାଇଁ ଅର୍ଥ ବିଭାଗ ଏକ ସ୍ବତନ୍ତ୍ର ଓ୍ବେବ୍‌ ପୋର୍ଟାଲ ଜରିଆରେ, ଇ-ମେଲ୍‌, ହ୍ବାଟ୍ସଆପ୍‌, ଏବଂ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମତାମତ ସଂଗଗହ କରିବାକୁ ଯୋଜନା କରୁଛନ୍ତି। ବର୍ତ୍ତମାନ, ୨୦୨୪-୨୫ବର୍ଷର ପୂର୍ଣାଙ୍ଗ ବଜେଟ୍‌ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ବାନ କରିଛନ୍ତି, ଯାହାକି ଓ୍ବେବ୍‌-ପୋର୍ଟାଲ https://budget.odisha.gov.in/ରେ ଉପଲବ୍ଧ।

ଏହି ପରାମର୍ଶଗୁଡ଼ିକ ଇ-ମେଲ୍‌ ଦ୍ୱାରା odisha.budget@gov.in ଠିକଣାରେ ପଠାଇ ପାରିବେ।
ସେହିପରି, ବଜେଟ୍‌ ସମ୍ବନ୍ଧୀୟ ମତାମତ ହ୍ବାଟ୍ସଆପ୍‌ ମାଧ୍ୟମରେ (+୯୧)୯୪୩୮୧୬୧୧୧୧ ମୋବାଇଲ ନମ୍ବରକୁ ଏବଂ ସାମାଜିକ ଗଣମାଧ୍ୟମ X (@FdOdisha), Facebook (@FinanceOdisha) ଓ Instagram (@fdodisha) ଦ୍ୱାରା ମଧ୍ୟ ପଠାଇ ପାରିବେ। ଏହି ସୁବିଧା ୨୦ ଜୁନ୍‌ରୁ ୫ ଜୁଲାଇ ପର୍ଯ୍ୟନ୍ତ ଉପଲବ୍ଧ ରହିବ।

ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀଙ୍କୁ ଅନୁରୋଧ କରାଯାଉଛି ଯେ, ଏହି ସ୍ବତନ୍ତ୍ର ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କର ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

Share