ଦିଗପହଣ୍ଡି/ସାନଖେମୁଣ୍ଡି,୨।୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ମେଡ଼ିକାଲ ଛକ, ବଜାର ଛକ ସମେତ ଗାଁ’ର ଗଳିକନ୍ଦିରେ ବେଆଇନ ଭାବେ ମଦ ବିକ୍ରି ପ୍ରତିବାଦରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି। ଏନେଇ ଗାଁ’ରେ ଚାପା ଉତ୍ତେଜନା ଲାଗି ରହିଛି। ମଦ ମାଫିଆ ମାନେ ସରକାରୀ ଜମିକୁ ଜବରଦଖଲ କରି ଫାଷ୍ଟଫୁଡ୍ ଦୋକାନ ନାଁରେ ବେଆଇନ ଭାବେ ନିର୍ଭୟରେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ମେଡ଼ିକାଲ ନିକଟରେ ଖୁଲମ୍ ଖୁଲା ଦେଶୀବିଦେଶୀ ମଦ ବିକ୍ରି ହେଉଥିବା ଫଳରେ ରୋଗୀମାନେ ମେଡିକାଲ ଯିବା ପାଇଁ ଭୟ କରୁଛନ୍ତି। କଲେଜ ଛାତ୍ରୀଛାତ୍ରମାନେ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଦୋରାତ୍ମ୍ୟରେ ଅତିଷ୍ଠ ହେଉଛନ୍ତି। ପ୍ରତିବାଦରେ ବୁଧବାର କଙ୍କୋରଡ଼ା ଏବଂ ଗମ୍ଭାରିଗୁଡ଼ା ଗ୍ରାମର ୩ ଶହରୁ ଉର୍ଦ୍ଧ୍ବ ମହିଳା ପୁରୁଷ ପାଟପୁର ଥାନା ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ସହ ଗାଁ’ରେ ବେଆଇନ ମଦ କାରବାର ବନ୍ଦ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି।
ଗତ ରବିବାର ଗମ୍ଭାରୀଗୁଡ଼ା ଗ୍ରାମର ଜଣେ ଯୁବକଙ୍କୁ ମଦ ବ୍ୟବସାୟୀଙ୍କ ଦ୍ଵାରା ନିୟୋଜିତ କିଛି ଯୁବକ ନିସ୍ତୁକ ମାଡ଼ ମାରିଥିଲେ। ଯୁବକଙ୍କ ବାପା ମା’ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏନେଇ ରବିବାର ରାତିରେ ପାଟପୁର ଥାନାରେ ଏତଲା ଦିଆଯାଇଥିଲା। ଘଟଣାର ୩ ଦିନ ବିତି ଯାଇଥିଲେ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରୁନଥିବା ପ୍ରତିବାଦରେ ଗ୍ରାମବାସୀ ମେଳି ବାନ୍ଧିଛନ୍ତି।
ଗ୍ରାମର ବହୁ ସଂଖ୍ୟକ ମହିଳା ପୁରୁଷ ଏକତ୍ରିତ ହୋଇ ପାଟପୁର ଥାନାରେ ପହଞ୍ଚି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଙ୍କ ସହ ସବିଶେଷ ଆଲୋଚନା କରିବା ପରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଆଇଆଇସି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜିତ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକଙ୍କୁ ସାକ୍ଷାତ କରି ଗ୍ରାମରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ସହ ବେଆଇନ ମଦ ଦୋକାନ ବନ୍ଦ ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ।
ଘଟଣାକୁ ଗୁରୁତ୍ୱର ସହ ବିଚାର କରି ପାଟପୁର ଥାନା ଆଇଆଇସି ,ତହସିଲଦାର ଓ ଅବକାରୀ ବିଭାଗ ପକ୍ଷରୁ ସଦଳବଳେ ମିଳିତ ଚଢ଼ାଉ କରି କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ରୁ ଦିଗପହଣ୍ଡି ଅବକାରୀ ଏସ ଆଇ ଅନୀତା ପ୍ରଧାନ ବିଦେଶୀ ମଦ ଜବତ କରିଥିଲେ।ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଇଲାକାର ୪ ଟି ମଦ ଦୋକାନକୁ ସିଲ୍ କରାଯାଇଥିବା ବେଳେ ସମ୍ପୃକ୍ତ ଦୋକାନ ମାଲିକ ଙ୍କୁ ନୋଟିସ୍ କରାଯାଇଥିବା ନେଇ ଥାନା ଆଇଆଇସି,ଅବକାରୀ ଏସ.ଆଇ ଏବଂ ତହସିଲଦାର ସୂଚନା ଦେଇଛନ୍ତି।