Categories: ଜାତୀୟ

ଲିଭ୍‌ ଇନ୍‌ରେ ସରକାରୀ ଚାକିରିଆ: ରାଜ୍ୟ ସରକାରଙ୍କ ସେବା ସର୍ତ୍ତ ଲାଗି ଜବାବ ତଲବ କଲେ ହାଇକୋର୍ଟ

ପ୍ରୟାଗରାଜ୍‌,୨୮।୧୧: ଲିଭ୍‌ ଇନ୍‌ରେ ରହିଥିବା ଦୁଇ ସରକାରୀ ଚାକିରିଆଙ୍କୁ ସୁରକ୍ଷା ଯୋଗାଇ ଦେବା ମାମଲାରେ ଆହ୍ଲାବାଦ୍‌ ହାଇକୋର୍ଟ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସରକାରୀ ଚାକିରି ସେବା ସର୍ତ୍ତ ନେଇ ଜବାବ ତଲବ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଏହାର ଉତ୍ତର ରଖିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୨ଠାରୁ ଲିଭ୍‌ ଇନ୍‌ରେ ରହୁଥିବା ହରଦୋଇ ନିବାସୀ ପ୍ରଜ୍ଞା ସିଂ ଏବଂ ବରେଲୀର ମେରାଜ ଅଲ୍ଲୀ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନେଇ ହାଇକୋର୍ଟର ଆଶ୍ରୟ ନେଇଥିଲେ। ସେମାନଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଜୀବନ ବିତାଇବାକୁ ସୁଯୋଗ ଦିଆଯାଉ ବୋଲି ଆବେଦନକାରୀ ଉଲ୍ଲେଖ କରିଥିଲେ। ତେବେ ବରେଲୀ ପୋଲିସ ଏସ୍‌ପିଙ୍କ ପାଖକୁ ଲେଖାଯାଇଥିବା ଚିଠିରେ ପ୍ରଜ୍ଞା ଅନ୍ୟ ଜଣଙ୍କର ସ୍ତ୍ରୀ ବୋଲି ଦର୍ଶାଯାଇଥିବାବେଳେ ହାଇକୋର୍ଟରେ କରାଯାଇଥିବା ଆବେଦନରେ ସେ ଅବିବାହିତା ବୋଲି ସୂଚିତ ହୋଇଛି। ବିଚାରପତି ଏସ୍‌.ପି କେଶରଓ୍ବାନୀ ଏବଂ ଡ.ଓ୍ବାଇ.କେ. ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ଏଭଳି ନିର୍ଦ୍ଦେଶ ଜାରି କରିବା ସହିତ ପ୍ରଜ୍ଞା ବିବାହିତା ଅବା ଅବିବାହିତା ସେ ନେଇ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, କିଛି ଦିନ ତଳେ ଆହ୍ଲାବାଦ୍‌ ହାଇକୋର୍ଟର ବିଚାରପତି ଶଶିକାନ୍ତ ଗୁପ୍ତା ଏବଂ ପଙ୍କଜ ଭାଟିଆଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଲିଭ୍‌ ଇନ୍‌ରେ ରହୁଥିବା ମହିଳାଙ୍କୁ ସୁରକ୍ଷା ଦେବା ଲାଗି ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରେ ଶାମଲୀର ତୈମୁରଶାହ ମୋହଲା ନିବାସୀ ସୁଲତାନା ମିର୍ଜା ଏବଂ ବିବେକ ବିହାର ବାସିନ୍ଦା କିରନ୍‌ ରାଣୀଙ୍କୁ ଲିଭ୍‌ ଇନ୍‌ ଆବେଦନ ଉପରେ ବିଚାରପତି ସେମାନେ ସାବାଳିକା ଏବଂ ସେମାନଙ୍କର ନିଜ ପସନ୍ଦର ଜୀବନ ଜୀଇଁବାର ଅଧିକାର ଥିବା ନେଇ ରାୟ ଦେଇଥିଲେ। ସୁଲତାନା ଏବଂ କିରନ୍‌ ଉଭୟ ଚାକିରି ମଧ୍ୟ କରିଥିଲେ।

Share