ଟ୍ରେନ୍‌ର କେଉଁ ସିଟରେ ବସିଲେ କରୋନା ସଂକ୍ରମଣ ଆଶଙ୍କା ଅଧିକ ଥାଏ

ନ୍ୟୁୟର୍କ,୮।୮: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳି ଯାଇଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରାୟ ସାରା ବିଶ୍ୱରେ ପବ୍ଲିକ ଟ୍ରାନ୍ସପୋର୍ଟକୁ ବନ୍ଦ କରି ଦିଆଯାଇଥିଲା। ଏବେ କିନ୍ତୁ ଧୀରେ ଧୀରେ ଏହା ଚାଲିବା ଆରମ୍ଭ କଲାଣି। ଦୂରଗାମୀ ଟ୍ରେନ୍‌ ସେବା ଆରମ୍ଭ ହୋଇ ନ ଥିଲେ ମଧ୍ୟ କିଛି ଟ୍ରେନ୍‌ ଚଳାଚଳ ଆରମ୍ଭ କରିଛି। ନ୍ୟୁୟର୍କରେ ପାଖାପାଖି ୫ ମାସ ପରେ ଟ୍ରେନ୍‌ ସେବା ପୁଣିଥରେ ଆରମ୍ଭ କରାଯାଇଛି। ହେଲେ ଏଥିରେ ଯାତ୍ରୀଙ୍କ ସଂଖ୍ୟା ଖୁବ୍‌ କମ୍‌ ରହିଛି। ଏପଟେ ନ୍ୟୁୟର୍କ ଟାଇମ୍ସର ସହାୟତାରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ କରୋନା ସଂକ୍ରମଣ ସମୟରେ ପବ୍ଲିକ ଟ୍ରାନ୍ସପୋର୍ଟ ଏତେ ବିପଜ୍ଜନକ ନୁହେଁ। ଟ୍ରେନ୍‌ ବା ବସ୍‌ରେ ଯାତ୍ରା କରିବା ସମୟରେ ଯଦି ଯାତ୍ରୀମାନେ ମାସ୍କ ପିନ୍ଧୁଛନ୍ତି ଓ ସମାଜିକ ଦୂରତା ରଖୁଛନ୍ତି ତେବେ କରୋନା ସଂକ୍ରମଣ ହେବାର ଆଶଙ୍କା କମ୍‌ ରହିଛି। ଯଦି କେହି ସଂକ୍ରମିତ ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତ୍ରା କରୁଛନ୍ତି ତେବେ ତାଙ୍କଠାରୁ ୩ଟି ସିଟ୍‌ ବ୍ୟବଧାନରେ ବସିଥିବା ଯାତ୍ରୀଙ୍କୁ ସଂକ୍ରମଣ ଆଶଙ୍କା ୦.୩୨ ପ୍ରତିଶତ ରହିବ ବୋଲି କୁହାଯାଉଛି। କିନ୍ତୁ ତାଙ୍କ ପାଖରେ ବସିଥିବା ଯାତ୍ରୀଙ୍କୁ ସଂକ୍ରମଣର ଆଶଙ୍କା ୩.୫ ପ୍ରତିଶତ ରହିଥାଏ ବୋଲି ସର୍ଭେରୁ ଜଣାପଡିଛି। ଯଦି ସଂକ୍ରମିତ ଝିଙ୍କି ଦେଉଛନ୍ତି ବା କାଶି ଦେଉଛନ୍ତି ତେବେ ତାଙ୍କ ପାଖରେ ବସିଥିବା ଲୋକପାଇଁ ବେଶ୍‌ କ୍ଷତିକାରକ ହୋଇପାରେ। କିନ୍ତୁ ବିମାନ ଯାତ୍ରା ସମୟରେ ଏଭଳି ଅସୁବିଧା ସାଧାରଣତଃ ଦେଖାଯାଇ ନ ଥିବା ଜଣାପଡିଛି। ବିଶେଷଜ୍ଞଙ୍କ କହିବା କଥା ହେଲା ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତ୍ରା କରିବା ସମୟରେ ଯଦି ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ପରିଷ୍କାର ପରିଚ୍ଛନ ରହିବେ ତେବେ କରୋନା ସଂକ୍ରମଣକୁ ସହଜରେ ଦୂରେଇ ଦେଇ ହେବ।

Share