Categories: ଜାତୀୟ

ଆତ୍ମହତ୍ୟା କରିବା ପୂର୍ବରୁ ସ୍ତ୍ରୀଙ୍କୁ ଏମିତି ନିବେଦନ କଲେ ସ୍ବାମୀ

ଅନ୍‌ଲାଇନ୍‌ ଜୁଆ ଖେଳି ଲକ୍ଷ ଲକ୍ଷ ଟଙ୍କା ହରାଇବା ପରେ ପୁଡୁଚେରୀର ଜଣେ ବ୍ୟକ୍ତି ମୃତ୍ୟୁକୁ ଆପଣାଇନ୍ତି। ବିଜୟ କୁମାର ନାମକ ଏହି ବ୍ୟକ୍ତି ଜଣଙ୍କ ମୃତ୍ୟୁ ପୂର୍ବରୁ ଏକ ଅଡିଓ କ୍ଲିପ ରେକର୍ଡ କରି ଲୋକଙ୍କୁ ଅନଲାଇନ ଖେଳ ଏବଂ ଜୁଆ ନ ଖେଳିବାକୁ ଅନୁରୋଧ କରିଛନ୍ତି। ବିଜୟ କୁମାର ପୁଡୁଚେରୀରେ ଏକ ମୋବାଇଲ ଫୋନ ଦୋକାନ କରିଥିଲେ। ସେ ତାଙ୍କ ବ୍ୟବସାୟରେ ସଫଳ ହୋଇଥିଲେ କିନ୍ତୁ ସେହି ସମୟରେ ସାଙ୍ଗମାନେ ତାଙ୍କୁ ଏକ ଅନଲାଇନ ଗେମିଂ ଆପ ବିଷୟରେ କହିଥିଲେ। ଏହା ପରେ ସେ ଏଥିରେ ଅଭ୍ୟସ୍ତ ହୋଇ ଯାଇଥିଲେ। ୩ଟି ଭିନ୍ନ ଆଇଡି ମାଧ୍ୟମରେ ସେ ସେହି ଖେଳରେ ୨୫ ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ। ଏଥିରେ ହତାଶ ହୋଇ ବିଜୟ କୁମାର ତାଙ୍କ ଅଡିଓ ରେକର୍ଡ କରିଥିଲେ ଯାହା ପରେ ସେ ଆତ୍ମହତ୍ୟା କରିଥିଲେ। ବିଜୟ କୁମାର ଅଡିଓ କ୍ଲିପ୍‌ରେ କହିଥିଲେ ମୁଁ ୩ଟି ଆଇଡି ବ୍ୟବହାର କରି ଗେମ୍‌ ଖେଳୁଥିଲି ଏବଂ ଏଥିରେ ପ୍ରାୟ ୨୫-୩୦ ଲକ୍ଷ କ୍ଷତି ହୋଇଛି। ମୁଁ ଦିନରାତି ଖେଳୁଥିଲି ଏବଂ ମୋର ସ୍ବାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ୩୦୦୦ ହଜାର ଟଙ୍କା ଜିତିବା ପରେ ମୁଁ ଏହି ଖେଳ ପ୍ରତି ଅଭ୍ୟସ୍ତ ହୋଇ ଯାଇଥିଲି। ଜୁଆ ଖେଳ ପଛରେ ଥିବା ପଦ୍ଧତି ଜାଣିବା ପରେ ମଧ୍ୟ ମୋତେ ଖେଳିବାକୁ ପଡିଲା କାରଣ ଖେଳରୁ ବାହାରିବାର କୌଣସି ଉପାୟ ନ ଥିଲା।
ଆତ୍ମହତ୍ୟା କରିବା ପୂର୍ବରୁ ବିଜୟ କୁମାର ତାଙ୍କ ସ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଯେ ଅଡିଓ ମେସେଜ ଲୋକମାନଙ୍କ ମଧ୍ୟରେ ଶେୟାର କରନ୍ତୁ ଯାହା ଦ୍ୱାରା ଲୋକମାନେ ଅନ୍‌ଲାଇନ ଜୁଆର ପ୍ରଭାବ ଜାଣିପାରିବେ। ଏହିଭଳି ଗେମ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଅଭିଯାନ ଆରମ୍ଭ କରାଯିବା ଉଚିତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବିଜୟ କୁମାର ନିଖୋଜ ହେବା ପରେ ତାଙ୍କ ପରିବାର ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ କୋରକାଡୁ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପରେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି।

Share