ଟିକିରି,୭।୯(ଡି.ଏନ୍.ଏ.): ପ୍ରକୃତି ଓ ପରମ୍ପରାର ଉପାସକ ହେଲେ ଆଦିମ ଆଦିବାସୀ। ଭିନ୍ନ ଭିନ୍ନ ଋତୁରେ ବିଭିନ୍ନ ପୂଜା ପାଳନ କରିଥାନ୍ତି। ଚଇତି ପର୍ବ, ମାଣ୍ଡିଆରାଣୀ, ନୂଆଁଖାଇ ଆଦି ପର୍ବ ପାଳନ କରିଥାନ୍ତି ସେମାନେ। ଏବେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଆଦିବାସୀଙ୍କ ଜନାସାରଣୀ ବା ମକାପୂଜା ଅନୁଷ୍ଠିତ ହୋଇଛି। ଟିକିରି, ମକାପଦର, ସେମିଳିଗୁଡା, ଜାମଗୁଡା, ସଗୀଗୁଡା, ମଇଲିଗୁଡା ଆଦି ଗ୍ରାମରେ ଆଦିବାସୀମାନେ ଏହି ପୂଜା କରିଛନ୍ତି। ନିଜ ନିଜ ଗ୍ରାମ ବେଜେଣୀମାନେ ନଡ଼ିଆ, କଦଳୀ, କୁକୁଡ଼ା, ପାରା ଆଦି ବଳି ଦେଇ ମାଟି ମାଆକୁ ପୂଜା କରିଥିଲେ। ଏଥିସହିତ ମାଟିରେ ଏକ ରାକ୍ଷସ ପ୍ରତିମୂର୍ତ୍ତି ତିଆରି କରିଥିଲେ। ଗ୍ରାମର ପ୍ରତ୍ୟେକ ପରିବାର ନିଜ ଜମିରେ ଉତ୍ପାଦିତ ମକା ନେଇ ରାକ୍ଷସଙ୍କଠାରେ ସମର୍ପଣ କରି ପୂଜାର୍ଚ୍ଚନା କରିଥିଲେ। ପରେ ଆଦିବାସୀମାନେ ଏହାକୁ ନୂଆ ଭାବେ ଖାଇଥିଲେ। ଆଦିବାସୀ ପରମ୍ପରାରେ ଏହାକୁ କୃଷିଭିତ୍ତିକ ପୂଜାଭାବେ ପାଳନ କରାଯାଏ। ଫସଲ ଅମଳ ପୂର୍ବରୁ ଏହି ପୂଜା ଆଦିବାସୀ ଅଧ୍ୟୁଷିତ କାଶୀପୁର ବ୍ଲକରେ ପାଳନ କରାଯାଇଥାଏ। ଏହି ପୂଜା ପାଳନ କଲେ ଫସଲ ରୋଗଦାଉରୁ ରକ୍ଷା ପାଇବା ସହ ଗାଁ ରୋଗ ବୈରାଗରୁ ଦୂରରେ ରହିଥାଏ ବୋଲି ସେମାନଙ୍କ ବିଶ୍ବାସ। ଏହି ପୂଜା ମାଧ୍ୟମରେ ନିଜ ଇଷ୍ଟଦେବୀ ଓ ଅଦୃଶ୍ୟ ଶକ୍ତିଙ୍କ ଉପାସନା କରାଯାଇଥାଏ।