Categories: ଖେଳ

ବର୍ମିଂହାମ ଟେଷ୍ଟରେ ଭାରତର ସ୍ଥିତି ମଜଭୁତ

ବର୍ମିଂହାମ, ୪ା୭: ସ୍ଥାନୀୟ ଏଜ୍‌ବାଷ୍ଟନଠାରେ ଚାଲିଥିବା ପୁନଃନିର୍ଦ୍ଧାରିତ ୫ମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ପ୍ରଥମ ଇନିଂସକୁ ୨୮୪ ରନ୍‌ରେ ସୀମିତ କରି ଭାରତ ଏହାର ସ୍ଥିତିକୁ ମଜଭୁତ କରିଛି। ଜବାବରେ ଦଳ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟ ବିନିମୟରେ ୧୨୫ ରନ ସଂଗ୍ରହ କରିଛି। ଚେତେଶ୍ୱର ପୂଜାରା ୫୦ ଓ ରିଷଭ ପନ୍ତ ୩୦ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଓପ୍‌ନର ଶୁବମନ ଗିଲ୍‌ ୪ ରନ କରି ଜେମ୍ସ ଆଣ୍ଡରସନଙ୍କ ବଲ୍‌ରେ ଜ୍ୟାକ୍‌ କ୍ରଲିଙ୍କ ଦ୍ୱାରା କ୍ୟାଚ୍‌ଆଉଟ ହୋଇଛନ୍ତି। ହନୁମା ବିହାରୀ ୧୧ ଏବଂ ବିରାଟ କୋହଲି ୨୦ରନ କରି ପ୍ୟାଭିଲିୟନ ଫେରିଛନ୍ତି। ଇଂଲଣ୍ଡ ତରଫରୁ ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍‌ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରିଥିବା ଭାରତ ରବିବାର ଖେଳ ଶେଷ ସୁଦ୍ଧା ଭାରତ ମୋଟ ଉପରେ ୨୫୭ରନ ଅଗ୍ରଣୀ ଲାଭ କରିଛି।
ଇଂଲଣ୍ଡ ପୂର୍ବଦିନର ପ୍ରଥମ ଇନିଂସ ଅସମାପ୍ତ ସ୍କୋର ୮୪/୬ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଦଳର ସବୁଠାରୁ ସଫଳ ବ୍ୟାଟର ଜନ୍ନି ବେୟାରଷ୍ଟୋ ୧୪୦ ବଲ୍‌ରୁ ୧୦୬ ରନ୍‌ କରି ଦଳର ସ୍ଥିତିରେ ସୁଧାର ଆଣିଥିଲେ। ସେ ପ୍ରଥମେ ବେନ୍‌ ଷ୍ଟୋକ୍ସ (୨୫)ଙ୍କ ସହ ୬୬ ରନ୍‌ ଏବଂ ପରେ ସାମ୍‌ ବିଲିଂ(୩୬ )ଙ୍କ ସହ ୯୨ ରନ୍‌ର ପାର୍ଟନରଶିପ୍‌ କରିଥିଲେ। ଭାରତ ତରଫରୁ ସବୁଠାରୁ ସଫଳ ବୋଲର ଭାବେ ମହମ୍ମଦ ସିରାଜ ୬୬ ରନ୍‌ ବିନିମୟରେ ୪ ଉଇକେଟ ନେଇଥିବା ବେଳେ ଯଶପ୍ରୀତ ବୁମ୍‌ରା ୩, ମହମ୍ମଦ ସାମି ୨ ଏବଂ ଶାର୍ଦ୍ଦୂଳ ଠାକୁର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ପ୍ରଥମ ଇନିଂସରେ ୪୧୬ ରନ୍‌ କରିଥିବା ଭାରତ ୧୩୨ ରନ୍‌ର ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିପାରିଥିଲା।

Share