ବଳଦ ଖୋଜିବାକୁ ଯାଇଥିଲେ, ଟାଣିନେଲା କୁମ୍ଭୀର, ଚିତ୍କାର ଶୁଣି…

ମହାକାଳପଡ଼ା,୧୬ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଳଦ ଖୋଜିବା ହେଲା କାଳ। ନଦୀକୂଳରେ ଛକି ରହିଥିଲା ବଉଳା କୁମ୍ଭୀର। ନାଳି ପାର୍ଶ୍ୱରେ ବଳଦ ଖୋଜିବାକୁ ଯାଇଥିବା ଶଙ୍କର ସାମନ୍ତ(୫୦)ଙ୍କୁ କୁମ୍ଭୀର ଟାଣିଟାଣି ନେଇଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ଅଧୀନରେ।
ପେଟା ରେଞ୍ଜ ଅଫିସ ସଂଲଗ୍ନ ରଟପଙ୍କ ଗ୍ରାମର ଶଙ୍କରଙ୍କର ଏକ ବଳଦ ନାଳ ନିକଟରେ ଚରୁଥିଲା। ବୁଧବାର ଅପରାହ୍ନରେ ଶଙ୍କର ଖୋଜିବାକୁ ଯିବା ସମୟରେ କୁମ୍ଭୀର ଟାଣି ତାଙ୍କୁ ନେଇଥିଲା। ଶଙ୍କରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ଖବର ପାଇ ଗହୀରମଥା ସାମୁଦ୍ରିକ ରେଞ୍ଜ ଅଧିକାରୀ ପ୍ରଦୋଷ କୁମାର ମହାରଣା ଘଟଣାସ୍ଥଳରେ ପହଞ୍ଚି ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରିଥିଲେ ହେଁ ଖବର ଲେଖାହେବା ସୁଦ୍ଧା ଶଙ୍କରଙ୍କ କୌଣସି ପତ୍ତା ମିଳିନାହିଁ।

ଅନ୍ୟପକ୍ଷରେ ଶଙ୍କରଙ୍କ ନିଖୋଜ ଖବର ପାଇ ସ୍ତ୍ରୀ, ଦୁଇ ଝିଅ-ଦୁଇ ପୁଅ ହତାଶ ହୋଇପଡ଼ିଛନ୍ତି। ରେଞ୍ଜ ଅଧିକାରୀଙ୍କ ମତାମତ ନେବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର ପରେ ଯାହା ପଦକ୍ଷେପ ନିଆଯିବ।

Share