ମହିଳାଙ୍କ ଶାଢ଼ୀ ଟାଣି ଯୁବକଙ୍କୁ ମାଡ଼: ସମିତି ସଭ୍ୟଙ୍କ ନାମରେ ମାମଲା

ବଡ଼ଗାଁ,୨।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଟିମନା ଗ୍ରାମର ଚାଟଲି ପାହାଡ଼ ତଳେ ରବିବାର ସାରେ ସ୍ଥାନୀୟ ସମିତି ସଭ୍ୟ ସଞ୍ଜୟ ଗନ୍ଧାଙ୍କ ସହିତ ୧୨ଯୁବକ ଜଣେ ଯୁବକଙ୍କୁ ମାଡ଼ ମାରିବା ଓ ତନ୍ମଧ୍ୟରୁ କେତେକ ଯୁବକ ଜଣେ ମହିଳାଙ୍କ ଶାଢ଼ୀ ଟାଣିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ବଡ଼ଗାଁ ଥାନାରେ ଏକ ମାମଲା (ନଂ.୧/୨୦୨୩) ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ଚାଟଲି ପାହାଡ଼ ଠାରୁ ଦେଢ କିଲୋମିଟର ଦୂରରେ ଥିବା କଟଙ୍ଗଝରିଆ ଗ୍ରାମର ଜଣେ ଯୁବତୀ ନୂତନବର୍ଷ ହୋଇଥିବାରୁ ଅନ୍ୟ କେତେକ ଯୁବତୀଙ୍କ ସହିତ ଚାଟଲି ପାହାଡ଼ ବୁଲିବାକୁ ଯାଇଥିଲେ। ସାରେ ଯୁବତୀମାନେ ପାହାଡ଼ରୁ ଗାଁକୁ ଫେରିଆସିଥିଲେ। କିନ୍ତୁ ଯୁବତୀଙ୍କ ମୋବାଇଲ ସୁଇଚ ଅଫ୍‌ ଥିବାରୁ ତାଙ୍କ ମା ଝିଅର ଅବସ୍ଥିତି ଜାଣି ନ ପାରି ତାଙ୍କ ପୁତୁରା ରାମପ୍ରସାଦ ସିଂ (୨୮)ଙ୍କ ସହିତ ପାହାଡ଼କୁ ଖୋଜିବାକୁ ଯାଇଥିଲେ। ଖୋଜାଖୋଜି କରି ନ ପାଇବାରୁ ପାହାଡ଼ ତଳେ ଭୋଜି କରୁଥିବା ସମିତି ସଭ୍ୟ ସଞ୍ଜୟ ଗନ୍ଧା ଓ ସହଯୋଗୀ ଯୁବକମାନଙ୍କୁ କେତେକ ଯୁବତୀ ବୁଲି ଆସିଥିଲେ ଦେଖିଛ କି ପଚାରିଥିଲେ। କେତେକ ଯୁବକ ଆମେ କଣ ସେମାନଙ୍କ ଠିକା ନେଇଛୁ କହି ନିସ୍ତୁକ ମାଡ଼ ମାରିଥିଲେ। ଯୁବକ ଆହତ ହୋଇ ପଡ଼ିଯିବା ପରେ ଭୋଜି କରୁଥିବା କେତେକ ଯୁବକ ମହିଳାଙ୍କ ଶାଢ଼ୀ ଟାଣିବାରୁ ସେ ଦୌଡ଼ି ପଳାଇ ଏକ ବୁଦା ମୂଳେ ଲୁଚିଯାଇଥିଲେ। ଘଟଣା ପରେ ରାତିରେ କଟଙ୍ଗଝରିଆ ଗାଁର ବହୁ ସଂଖ୍ୟକ ଯୁବକ ଟିମନା ଗାଁକୁ ଆସି ମାଡ଼ ମାରିଥିବା ଓ ମହିଳାଙ୍କ ଶାଢ଼ୀ ଟାଣିଥିବା ଯୁବକଙ୍କୁ ଖୋଜିଥିଲେ। ଉତ୍ତେଜନା ସୃଷ୍ଟି ହେବା ଆଶଙ୍କା କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ପ୍ରଶମିତ କରିଥିଲେ। ସୋମବାର ପୀଡ଼ିତା ମହିଳା ଓ ଯୁବକଙ୍କ ଅଭିଯୋଗ କ୍ରମେ ପୋଲିସ ଥାନାରେ ଏକ ମାମଲା ରୁଜୁ କରିଛି।

Share