କ୍ଷତି ସହୁଛନ୍ତି କଖାରୁ ଚାଷୀ

ଠାକୁରମୁଣ୍ଡା,୨୬।୯(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ କଖାରୁ (ବୋଇତାଳୁ) ଚାଷ କରିଥିବା ଚାଷୀ ଚଳିତ ବର୍ଷ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି। ଲଘୁଚାପ ବର୍ଷା ଯୋଗୁ ଫଳ କମିଯିବା ସାଙ୍ଗକୁ କମ୍‌ ଓଜନର ଫଳ ଫଳିଛି। ଉତ୍ପାଦନ କମିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ଏହି ବ୍ଲକ ଅଞ୍ଚଳର ଅନେକ ଚାଷୀ ଶତାଧିକ ଏକର ଜମିରେ କଖାରୁ ଚାଷ କରିଛନ୍ତି। ପୂର୍ବରୁ ଧାନ ଚାଷ ନ ହୋଇ ପଡ଼ି ରହୁଥିବା ଜମିରେ ଭଲ କଖାରୁ ଉତ୍ପାଦନ ହେଉଥିବାରୁ ଏଥି ପ୍ରତି ଆଗ୍ରହ ପ୍ରକାଶ କରି ଚଳିତ ବର୍ଷ ବହୁ ଚାଷୀ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଏହି ଚାଷ କରିଛନ୍ତି। ସେପ୍ଟେମ୍ବର ଓ ଅକ୍ଟୋବର ମାସରେ କଖାରୁ ତୋଳା ହେଉଥିବାରୁ ବିଭିନ୍ନ ସ୍ଥାନରୁ ବେପାରୀ ଆସି କଖାରୁ କିଣିଥାନ୍ତି। ପ୍ରତିଦିନ ଶହ ଶହ ସଂଖ୍ୟାରେ ଗାଡ଼ି ଯୋଗେ କଖାରୁ ବୋଝେଇ ହୋଇ ବିକ୍ରି ପାଇଁ ଯାଇଥାଏ। ମାତ୍ର ଚଳିତ ବର୍ଷ ଲଘୁଚାପ ବର୍ଷା ଯୋଗୁ ଚାଷୀ ହତାସ ହୋଇପଡ଼ିଛନ୍ତି। ତାଳପଦା ଗଁାର ଚାଷୀ ସତ୍ୟାନନ୍ଦ ପଲେଇ, ବାଲିପୋଷି ଗଁାର ଦିଲୀପ କୁମାର ବେହେରା, ବାଉଁଶଡ଼ିହା ଗଁାର ଠାକୁରା ମୁର୍ମୁ ପ୍ରମୁଖ ଚାଷୀଙ୍କ କହିବା ଅନୁଯାୟୀ, ଗତବର୍ଷ ସେମାନେ କଖାରୁ କୁଇଣ୍ଟାଲ ପ୍ରତି ୧୨ ଶହରୁ ୧୪ ଶହ ଟଙ୍କାରେ ବେପାରୀଙ୍କୁ ବିକ୍ରି କରିଥିଲେ। ମାତ୍ର ଚଳିତ ବର୍ଷ କୁଇଣ୍ଟାଲ ୫ରୁ ୬ଶହ ଟଙ୍କାରେ ବିକ୍ରି ହେଉଛି। କଖାରୁକୁ ସଂରକ୍ଷିତ କରି ରଖିବାକୁ ଶୀତଳ ଭଣ୍ଡାରର ସୁବିଧା ନ ଥିବାରୁ ସେମାନେ କମ୍‌ ଦାମ୍‌ରେ ବିକିବାକୁ ବାଧ୍ୟ ହେଉଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି।