Categories: ଜାତୀୟ

ପୁଣେ ଦୁର୍ଘଟଣାରେ ନାବାଳକଙ୍କୁ ଖସାଇ ଦେବାକୁ ପୋଲିସର ବଡ଼ ଷଡଯନ୍ତ୍ର,ଏଭଳି…

ପୁଣେ,୨୪।୫: ପୁଣେ ପୋର୍ଶ କାର୍‌ ଦୁର୍ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେଉଛି। ପୁଣେ ପୋଲିସ ତରଫରୁ ଅନେକ ତ୍ରୁଟି ହୋଇଛି। ଯାହାକୁ ନେଇ ପୋଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏସବୁ ମଧ୍ୟରେ ପୋଲିସ କମିଶନର ଅମିତେଶ କୁମାର ଶୁକ୍ରବାର ବଡ଼ ସୂଚନା ଦେଇଛନ୍ତି। ଦୁର୍ଘଟଣା ବେଳେ ୧୭ ବର୍ଷୀୟ କିଶୋର ଚଳାଉ ନ ଥିଲେ ବୋଲି ଦେଖାଯିବାକୁ ଚେଷ୍ଟା କରାଯାଇଥିବା ସେ କହିଛନ୍ତି। ଅନ୍ତରିଣ ଯାଞ୍ଚ ସମୟରେ ମାମଲା ଦାୟର କରିବା ସମୟରେ କିଛି ପୋଲିସକର୍ମଚାରୀ ତ୍ରୁଟି କରିଥିବା ଜଣାପଡ଼ିଥିବା ଯୋଗୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ, ଆମ ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ କିଶୋର ହିଁ କାର୍‌ ଚଳାଉଥିଲେ। ଘଟଣା ସମ୍ବନ୍ଧୀୟ ସମସ୍ତ ଦରକାରୀ ସାକ୍ଷୀ ଯୋଗାଡ଼ କରାଯାଇଛି। ଉଦାହରଣସ୍ବରୂପ କିଶୋର ଘରୁ ବାହାରିବା ପରେ ରେଜିଷ୍ଟାରରେ ତାଙ୍କ କାର୍‌ ସହ ଏଣ୍ଟ୍ରି ରହିଛି। ପ୍ରତ୍ୟକ୍ଷଦର୍ଶୀମାନେ ମଧ୍ୟ ଏନେଇ ସ୍ପଷ୍ଟ କରିଛନ୍ତି।

ହେଲେ କିଶୋର ନୁହନ୍ତି ବରଂ ଜଣେ ବୟସ୍କ ଡ୍ରାଇଭର ଚଳାଉଥିବା ଦେଖାଇବାକୁ ଚେଷ୍ଟା କରାଯାଇଥିଲା। ହେଲେ ସମସ୍ତ ଦିଗକୁ ନେଇ ତଦନ୍ତ କରାଯାଇଛି। ଏଭଳି ପ୍ରଚେଷ୍ଟା କରିଥିବା ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୨୦୧ ଅନୁଯାୟୀ ପ୍ରମାଣ ନଷ୍ଟ କରିବାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କହିରଖୁଛୁ,ପୁଣେର କଲ୍ୟାଣୀନଗରରେ ରବିବାର ବଡ଼ ଦୁର୍ଘଟଣାରେ ଏକ ପୋର୍ଶ କାର୍‌ ଚଳାଉଥିବା ନାବାଳକ ଚାଳକ ବାଇକ୍‌ରେ ଯାଉଥିବା ୨ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କୁ ଧକ୍କା ଦେଇଥିଲା। ଏଥିରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା।

Share