Categories: ଜାତୀୟ

ଅକ୍ସିଜେନ ସପୋର୍ଟରେ ଥିବା ରୋଗୀଙ୍କୁ ମିଳୁନି ବେଡ୍‌

ପୁଣେ, ୬ା୪- ମହାରାଷ୍ଟ୍ର ପୁଣେର ପିମ୍ପରି ଠାରେ ଥିବା ମେଡିକାଲରେ ରୋଗୀଙ୍କ ବେଡ୍‌ର ଅଭାବ ଦେଖାଦେଇଛି। ସ୍ଥିତି ଏଭଳି ଯେ, ଗୁରୁତର ଓ ତୁରନ୍ତ ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କୁ ବେଡ୍‌ ପାଇଁ କରିବାକୁ ପଡ଼ୁଛି ଅପେକ୍ଷା। ଏପରି କି ଅକ୍ସଜେନ ସପୋର୍ଟରେ ଥିବା ରୋଗୀଙ୍କ ପାଇଁ ମଧ୍ୟ ଉପଲବ୍ଧ ନାହିଁ ବେଡ୍‌। ଏହାସତ୍ତ୍ୱେ ଗୁରୁତର ରୋଗୀଙ୍କ ଚିକିତ୍ସା ଚାଲିଛି। ଓ୍ବେଟିଂ ଏରିଆରେ ଅଧିକାରୀଙ୍କ ପକ୍ଷରୁ ୭ଟି ଅକ୍ସିଜେନ ସପୋର୍ଟ ବ୍ୟବସ୍ଥା କରାଯାଇଛି।

ଯଶଓ୍ବନ୍ତ ରାଓ ଚୌହ୍ବାନ ମେମୋରିଆ ହସ୍ପିଟାଲରେ ମୋଟ ଉପରେ ୪୦୦ ରୋଗୀ ଶଯ୍ୟା ରହିଛି। ଏଥିରେ ସାମିଲ ଅଛି ୫୫ଟି ଆଇସିୟୁ (ଇଣ୍ଟେନସିଭ କେୟାର ୟୁନିଟ୍‌)। ଆଉ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରୁ ବିଭିନ୍ନ ମେଡିକାଲରେ ସ୍ଥିତି ପ୍ରାୟ ଏଭଳି ହୋଇ ପଡ଼ିଲାଣି। ବର୍ତ୍ତମାନ ଗୋଟିଏ ହେଲେ ବେଡ୍‌ ଉପଲବ୍ଧ ନାହିଁ। ଅକ୍ସିଜେନ ସପୋର୍ଟର ଆବଶ୍ୟକ ଥିବା କୋଭିଡ୍‌ ରୋଗୀଙ୍କୁ ଦିଆଯାଇ ପାରୁ ନାହିଁ ଭେଣ୍ଟିଲେଟର ସୁବିଧା।

କୌଣସି ରୋଗୀ ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କଲେ, ତୁରନ୍ତ ଅକ୍ସିଜେନ ସପୋର୍ଟର ବ୍ୟବସ୍ଥା କରାଯାଉଛି। ବେଡ୍‌ ନ ମିଳିବା ପର୍ଯ୍ୟନ୍ତ ଓ୍ବେଟିଂ ଏରିଆରେ ରୋଗୀଙ୍କ ଚିକିତ୍ସା କରାଯାଉଥିବା ଓ୍ବାଇସିଏମ୍‌ ହସ୍ପିଟାଲର ଆସିଷ୍ଟାଣ୍ଟ ପ୍ରଫେସର ଡ. କୌସ୍ତୁବ କାହାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସୋମବାର ପୁଣେ ଜିଲାରେ ୮,୦୭୫ ଜଣ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୫.୮ ଲକ୍ଷରେ।

Share