୯ ମାସରେ ୧୪ ଥର ପ୍ଲାଜମା ଦାନ କରିସାରିଲେଣି ଏହି ବ୍ୟକ୍ତି; ବନ୍ଧୁମାନେ ଡାକୁଛନ୍ତି ‘ପ୍ଲାଜମା ବ୍ୟାଙ୍କ’

ନୂଆଦିଲ୍ଲୀ,୧୫।୫: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନାହିଁ। ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଥିବା ବେଳେ କିଛି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ସେହିଭଳି କିଛି ଅନ୍ୟଙ୍କ ଜୀବନ ବଞ୍ଚାଇବା ଲାଗି ନିଜ ଜୀବନ ବାଜି ଲଗାଇବାକୁ ପଛାଉନାହାନ୍ତି। ସେଭଳି ଜଣେ କରୋନା ଯୋଦ୍ଧା ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପୁଣେର ଅଜୟ ମୁନୋଟ ସର୍ବାଧିକ ଥର ପ୍ଲାଜମା ଦାନ କରି ରେକର୍ଡ କରିଛନ୍ତି। ସେ ୯ ମାସରେ ୧୪ ଥର ପ୍ଲାଜମା ଦାନ କରି ସାରିଛନ୍ତି।

୫୦ ବର୍ଷୀୟ ଅଜୟ ଜଣେ ରଣନୀତି ପରାମର୍ଶଦାତା ଭାବେ କାର୍ଯ୍ୟ କରନ୍ତି। ସେ ଏଯାବତ ୧୪ଥର ପ୍ଲାଜମା ଦାନ କଲେଣି। ଏହି ମହତ କାର୍ଯ୍ୟ ଯୋଗୁ ଅନେକ ଜୀବନ ରକ୍ଷା ପାଇଛି। ଅପରପକ୍ଷେ ଜଣେ ବ୍ୟକ୍ତି ୧୪ ଥର ପ୍ଲାଜମା ଦାନ କରିବା ଘଟଣା ପ୍ରଥମ। ଏହି ଦାବି ସତ୍ୟ ପ୍ରମାଣିତ ହେବା ପରେ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌୍‌’ ମଧ୍ୟ ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛି।
ଜୁଲାଇ ୨୦୨୦ରେ ଅଜୟ କରୋନାରେ ସଂକ୍ରମିତ ହୋଇଥିଲେ। ସେତେବେଳେ ତାଙ୍କୁ କୋଭିଡ-୧୯ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ମହାମାରୀ ବିରୋଧ ଲଢ଼େଇରେ ସେ ବିଜୟୀ ହୋଇଥିଲେ। ଏହାପରଠାରୁ ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ଲାଜମା ଦାନ ଜାରି ରଖିଛନ୍ତି। ଗତ ୯ ମାସ ଭିତରେ ସେ ପ୍ରାୟ ୧୪ଥର ଏଭଳି କଲେଣି। ଯେପର୍ଯ୍ୟନ୍ତ ଶରୀରରେ ଆଣ୍ଟିବଡ଼ି ଗଠନ ହେଉଥିବ ସେତେବେଳଯାଏ ସେ ପ୍ଲାଜମା ଦାନ ଜାରି ରଖିବେ। ଏବେ ଅଜୟଙ୍କ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ତାଙ୍କୁ ପ୍ଲାଜମା ବ୍ୟାଙ୍କ ବୋଲି ମଧ୍ୟ କହୁଛନ୍ତି।

ସେ କୁହନ୍ତି, ଯେତେବେଳେ ସେ କରୋନା ଭୂତାଣୁକୁ ହରାଇବା ପରେ ଘରକୁ ଆସିଥିଲେ, ସେତେବେଳେ ସେ ସୋସିଆଲ ମିଡିଆରୁ ପ୍ଲାଜମା ଲାଗି ଲୋକେ ନିବେଦନ କରୁଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ଏକ ଗରିବ ପରିବାରକୁ ପ୍ରଥମେ ପ୍ଲାଜମା ଦାନ କରିଥିଲେ। ଏହାଦ୍ୱାରା ସେ ଉକ୍ତ ପରିବାରର ମା’ଙ୍କ ଜୀବନ ରକ୍ଷା କରିପାରିଥିଲେ। ତେବେ ପ୍ଲାଜମା ଦାନ କରିବା ଯୋଗୁ ତାଙ୍କର କୌଣସି ଅସୁବିଧା ହୋଇନାହିଁ। ଯେତେଦିନ ଶରୀରରେ ଆଣ୍ଟିବଡ଼ି ହେଉଥିବ ସେ ଦାନ ଜାରି ରଖିବେ ବୋଲି ସେ କହିଛନ୍ତି।

Share