୨୬/୧୧ ମୁମ୍ବାଇ ଆକ୍ରମଣ ଆତଙ୍କବାଦୀ ସଂଗଠନଙ୍କ ପ୍ରତି ହେଉ ଦଣ୍ଡବିଧାନ, ଭାରତ-ଆମେରିକା…

ଓ୍ବାଶିଂଟନ,୨୫।୯: ଭାରତ ଏବଂ ଆମେରିକା ମିଳିତ ଭାବେ ୨୬/୧୧ ମୁମ୍ବାଇ ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦୀ ସଂଗଠନ ତଥା ଅପରାଧୀଙ୍କ ପ୍ରତି କଠୋର ଦଣ୍ଡ ବିଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆହ୍ବାନ ଦେଇଛନ୍ତି। ଏକ ବିବୃତ୍ତିରେ ଦୁଇ ନେତା ନିଶ୍ଚିତ କରିଛନ୍ତି ଯେ ଆତଙ୍କବାଦ ବିରୋଧରେ ମିଳିତ ସଂଗ୍ରାମରେ ସେମାନେ ଏକାଠି ଠିଆ ହୋଇଛନ୍ତି ଏବଂ ନିର୍ଦ୍ଦିଷ୍ଟ ଆତଙ୍କବାଦୀ ସଂଗଠନ ବିରୋଧରେ ଏକାଠି ନୂଆ ରଣନୀତି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଶନିବାର ଭାରତ ଏବଂ ଆମେରିକା ସୀମା ଆତଙ୍କବାଦକୁ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ୱରେ ପ୍ରଥମ ବ୍ୟକ୍ତିଗତ ଦ୍ୱିପାକ୍ଷିକ ବୈଠକ ପରେ ଉଭୟ ଦେଶ ଏଭଳି ମିଳିତ ବିବୃତ୍ତି ଦେଇଛନ୍ତି।

ଏହାଦ୍ୱାରା ଦୁଇ ନେତା ପୁଣିଥରେ ପ୍ରମାଣିତ କରିଛନ୍ତି ଯେ ବିଶ୍ୱ ଆତଙ୍କବାଦ ବିରୋଧରେ ମିଳିତ ସଂଗ୍ରାମରେ ଆମେରିକା ଏବଂ ଭାରତ ଏକାଠି ଠିଆ ହୋଇଛନ୍ତି।

ଭାରତ-ପ୍ରଶାନ୍ତ ମହାସାଗରୀୟ ତଥା ଏହାର ବାହାରେ ଅଂଶୀଦାରଙ୍କ ସ୍ବାର୍ଥକୁ ପ୍ରୋତ୍ସାହିତ କରିବା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଭାଗିଦାରୀ, କୋଭିଡ -୧୯ ବିରୋଧରେ ଲଢ଼ିିବା, ଜଳବାୟୁ ପରିବର୍ତ୍ତନ ଏବଂ ନାଗରିକଙ୍କ ସମର୍ଥନରେ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଅନୁଷ୍ଠାନକୁ ସୁଦୃଢ଼ କରିବା ପାଇଁ ମୋଦି ଏବଂ ବାଇଡେନ ଏକ ସ୍ପଷ୍ଟ ରୂପରେଖକୁ ନିଶ୍ଚିତ କରିଛନ୍ତି।

Share