Categories: ଜାତୀୟ

ଦୋଷୀ ପୁଅ ବଦଳରେ ପିତାଙ୍କୁ ଦଣ୍ଡାଦେଶ: ପୈତୃକ ଦୋକାନ ବିକି ବୋହୂଙ୍କୁ ଭରଣପୋଷଣ ଦେବାକୁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୯।୧୦ : ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ନିଆରା ରାୟ ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୈତୃକ ଦୋକାନ ବିକ୍ରୟ କରିବା ଏବଂ ବୋହୂଙ୍କୁ ଭରଣପୋଷଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ବ୍ୟକ୍ତିଙ୍କ ପୁଅ ତାଙ୍କ ସ୍ତ୍ରୀଙ୍କୁ ଛାଡି ବିବାହ ପରେ ଅଷ୍ଟ୍ରେଲିଆକୁ ପଳାଇ ଯାଇଥିଲେ। ଦ୍ୱିତୀୟ ଥର ସେଠାରେ ସେ ବିବାହ କରିଥିଲେ। ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ମୋହନ ଗୋପାଳ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କର ୬ ଦୋକାନ ବିକ୍ରୟ କରି ବୋହୂଙ୍କୁ ଭରଣପୋଷଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୋହନ ଗୋପାଳ ଏବଂ ତାଙ୍କ ପୁଅ ବରୁଣ ଗୋପାଳ ବାରମ୍ବାର କୋର୍ଟଙ୍କ ଆଦେଶକୁ ଅବମାନନା କରିଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି ଉଭୟଙ୍କୁ ଭରଣପୋଷଣର ସମ୍ପୂର୍ଣ୍ଣ ପରିମାଣ ଦେବାକୁ ପଡିବ।

ମୋହନ ଗୋପାଳଙ୍କ ୬ ପୈତୃକ ଦୋକାନ ବିକ୍ରିରେ ସହାୟତା କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ଯେପର୍ଯ୍ୟନ୍ତ ୧.୨୫ କୋଟି ଟଙ୍କାର ଭରଣପୋଷଣ ନ ମିଳୁଛି ସେ ପର୍ଯ୍ୟନ୍ତ ସମ୍ପତ୍ତିରୁ ମିଳୁଥିବା ଭଡା ଆବେଦନକାରୀ ମହିଳାଙ୍କୁ ଦିଆଯିବ। କୋର୍ଟ ଆଦେଶରେ ସ୍ପଷ୍ଟ ଭାବେ କହିଛନ୍ତି ଯଦି ସମସ୍ତ ସମ୍ପତ୍ତି ୩ମାସ ମଧ୍ୟରେ ବିକ୍ରି ହୋଇ ପାରିବ ନାହିଁ, ତେବେ ଏହାକୁ ମହିଳାଙ୍କ ନାମକୁ ହସ୍ତାନ୍ତର କରାଯାଉ।

ଶୁଣାଣି ସମୟରେ କୋର୍ଟ ମଧ୍ୟ ସେହି ଦଲିଲଗୁଡ଼ିକୁ ଦେଖିଥିଲେ ଯେଉଁଥିରେ ଦାବି କରାଯାଇଥିଲା ବିବାହ ପରେ ତୁରନ୍ତ ବରୁଣ ଗୋପାଳ ଅଷ୍ଟ୍ରେଲିଆକୁ ପଳାଇ ଦ୍ୱିତୀୟ ଥର ସେଠାରେ ବିବାହ କରିଥିଲେ। ଦ୍ୱିତୀୟ ବିବାହରୁ ତାଙ୍କର ସନ୍ତାନ ମଧ୍ୟ ଅଛନ୍ତି। ଅଦାଲତ ବ୍ୟାଙ୍କ ବିବୃତ୍ତି ମଧ୍ୟ ଦେଖିଥିଲେ, ଯେଉଁଥିରେ ଦର୍ଶାଯାଇଥିଲା ବରୁଣଙ୍କୁ ଯଥେଷ୍ଟ ପରିମାଣର ଟଙ୍କା ହସ୍ତାନ୍ତର କରାଯାଇଛି।

୨୦୧୨ମସିହାରେ ବରୁଣ ବିବାହ କରିଥିଲେ। ସେତେବେଳେ ସେ ଅଷ୍ଟ୍ରେଲିଆରେ କାମ କରୁଥିଲେ। ବିବାହ ପରେ ସେ ଅଷ୍ଟ୍ରେଲିଆ ଯାଇ ଆଉ ଫେରି ନ ଥିଲେ। ଏହା ପରେ ତାଙ୍କ ସ୍ତ୍ରୀ ବରୁଣ ଏବଂ ତାଙ୍କ ପିତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ ଏବଂ ଭରଣପୋଷଣ ଦାବି କରିଥିଲେ। ୨୦୧୭ ମସିହାରେ, ବରୁଣ ଅଷ୍ଟ୍ରେଲୀୟ କୋର୍ଟରୁ ଛାଡପତ୍ର ଆଦେଶ ମଧ୍ୟ ପାଇଥିଲେ।

ଅଦାଲତରେ ଶୁଣାଣି ସମୟରେ ବରୁଣଙ୍କ ପିତା ମୋହନ ଗୋପାଳ ଯୁକ୍ତି କରିଥିଲେ ତାଙ୍କ ପୁଅର କାର୍ଯ୍ୟକଳାପ ପାଇଁ ସେ ଦାୟୀ ନୁହଁନ୍ତି, କିନ୍ତୁ କୋର୍ଟ ତାଙ୍କ କଥା ଶୁଣି ନ ଥିଲେ।

Share