ଦେବୀଙ୍କ ଦର୍ଶନ କରିବାକୁ ଦେଲେ ନାହିଁ: ମୋଦି

ଚଣ୍ଡିଗଡ଼,୧୪।୨: ପଞ୍ଜାବ ରାଜନୀତି ଏବେ ସରଗରମ ରହିଛି। ନିର୍ବାଚନୀ ଯୁଦ୍ଧ ପାଇଁ ସମସ୍ତ ଦଳ ନିଜ ନିଜର ବଳ ଲଗାଇ ଦେଇଛନ୍ତି। ଶିଖ୍‌ ସଂଖ୍ୟାଲଘୁ ରାଜ୍ୟରେ ଶିରୋମଣି ଅକାଳୀ ଦଳ ସହ ମେଣ୍ଟ ନ କରି ପ୍ରଥମ ଥର ଭାରତୀୟ ଜନତା ପାର୍ଟି ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଇତିମଧ୍ୟରେ ପଞ୍ଜାବରେ ନିଜର ଅସ୍ତିତ୍ୱ ବଜାୟ ରଖିବା ଲାଗି ଭାଜପା ‘ଟ୍ରମ୍ପ କାର୍ଡ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ପ୍ରଚାର ଲାଗି ମଇଦାନକୁ ଓହ୍ଲାଇଛି। ସୋମବାର ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବ ଜଲନ୍ଧରରେ ପହଞ୍ଜି ଏକ ଜନସଭାକୁ ସମ୍ବୋଧିତ କରି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ପଞ୍ଜାବକୁ ଗୁରୁ, ଫକିର ଓ କ୍ରାନ୍ତିକାରୀଙ୍କ ପାଇଁ ଜଣାଯାଉଥିବା ବେଳେ ଏଠାକୁ ଆସିବା ଅତ୍ୟନ୍ତ ଆନନ୍ଦଦାୟକ। ତେବେ ଜନସଭାକୁ ସମ୍ବୋଧିତ କରିବା ପୂର୍ବରୁ ପ୍ରଥମେ ମୋଦି ଶକ୍ତିପୀଠ ଦେବୀ ତ୍ରିପୁରା ମାନିନୀଙ୍କୁ ପ୍ରଣାମ କରି ଆଶିଷ ଭିକ୍ଷା କରିଥିଲେ। ଏହାପରେ ସେ କହିଛନ୍ତି, କାର୍ଯ୍ୟକ୍ରମ ଶେଷ ହେବା ପରେ ଦେବୀଙ୍କୁ ଦର୍ଶନ କରିବାକୁ ଚାହୁଁଥିଲି କିନ୍ତୁ ଏଠାକାର ପୋଲିସ ପ୍ରଶାସନ ଅନୁମତି ଦେଲା ନାହିଁ। କୁହାଗଲା, ବ୍ୟବସ୍ଥା କରାଯାଇପାରିବ ନାହିଁ, ହେଲିକପ୍ଟରରେ ଯାଇ ଦର୍ଶନ କରି ନିଅନ୍ତୁ। ଏହା ହେଉଛି ଏଠାକାର ସରକାରଙ୍କ ଅବସ୍ଥା।  କିନ୍ତୁ ସେ ପୁନର୍ବାର ଏଠାକୁ ଆସିବେ ଏବଂ ମା’ଙ୍କୁ ଦର୍ଶନ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share