Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବିବାହ ସମ୍ପନ୍ନ

ଚଣ୍ଡିଗଡ,୭।୭: ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗବନ୍ତ ମାନ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଡା. ଗୁରୁପ୍ରୀତ କୌରଙ୍କୁ ଜୀବନ ସାଥୀ ଭାବେ ବାଛିଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ଟାରେ ମୁଖ୍ୟମନ୍ତ୍ରୀଙ୍କ ବାହସଭବନରେ ଦୁହେଁ ବିବାହ କରିଥିଲେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରିବାର ସହିତ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିଲେ। ବିବାହରେ ସୀମିତ ଅତିଥିମାନଙ୍କୁ ଡକାଯାଇଥିଲା।
୩୨ ବର୍ଷିୟା ଗୁରୁପ୍ରୀତ ଭାଗବନ୍ତ ମାନ (ବୟସ ୪୮)ଙ୍କ ଠାରୁ ୧୬ ବର୍ଷ ସାନ। ପ୍ରାୟ ଚାରି ବର୍ଷ ପୂର୍ବେ ଦୁହେଁ ସାକ୍ଷାତ ହୋଇଥିଲେ। ଭାଗବନ୍ତ ମାନଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ସେ ୨୦୧୫ରେ ପ୍ରଥମ ସ୍ତ୍ରୀ ଇନ୍ଦରପ୍ରୀତଙ୍କଠାରୁ ଛାଡପତ୍ର ନେଇଥିଲେ। ଇନ୍ଦରପ୍ରୀତ ଏବଂ ୨ ସନ୍ତାନ ଆମେରିକାରେ ରୁହନ୍ତି। କିଛି ମାସ ପୂର୍ବେ ତାଙ୍କ ପୁଅ ଏବଂ ଝିଅ ପିତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ୪୮ ବର୍ଷୀୟ ମାନ ପୁଣିଥରେ ପରିବାର ଗଢନ୍ତୁ ବୋଲି ତାଙ୍କ ମା’ଙ୍କ ଇଚ୍ଛା କରିଥିଲେ। ମା’ଙ୍କ ଇଚ୍ଛାକୁ ପୂରଣ କରିବାକୁ ମାନ ବିବାହ କରିବାକୁ ରାଜି ହୋଇଥିଲେ। ଗୁରୁପ୍ରୀତଙ୍କୁ ମାନଙ୍କ ମା’ ଏବଂ ଭଉଣୀ ଚୟନ କରିଛନ୍ତି।
କମେଡିଆନରୁ ରାଜନେତା ପାଲଟିଥିବା ଭାଗବନ୍ତ ମାନ ୨୦୧୪ରେ ପ୍ରଥମଥର ସାଙ୍ଗରୁରର ଏମ୍‌ପି ହୋଇଥିଲେ। ସେତେବେଳେ ଇନ୍ଦରପ୍ରିତ ତାଙ୍କ ପାଇଁ ପ୍ରଚାର କରିବାକୁ ଆସିଥିଲେ। କିନ୍ତୁ ଉଭୟ ୨୦୧୫ରେ ଛାଡପତ୍ର ନେଇଥିଲେ।

Share