Categories: ଜାତୀୟ

ଦୁର୍ନୀତି ଅଭିଯୋଗରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇଲେ ମାନ

ଚଣ୍ଡିଗଡ଼,୨୪।୫: ଦୁର୍ନୀତି ବିରୋଧରେ ଶକ୍ତ ମନୋଭାବ ଦେଖାଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁର୍ନୀତି ଅଭିଯୋଗରେ ନିଜ ସ୍ବାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ଭଗଓ୍ବନ୍ତ ମାନ ବରଖାସ୍ତ କରିଛନ୍ତି।
ସିଙ୍ଗଲାଙ୍କ ବିରୋଧରେ ଦୁର୍ନୀତିର ପ୍ରମାଣ ମିଳିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିସହ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନ ପଞ୍ଜାବ ପୋଲିସକୁ ସିଙ୍ଗଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଭଗଓ୍ବନ୍ତ ମାନଙ୍କ ନେତୃତ୍ୱରେ ଥିବା ସରକାରରେ ବିଜୟ ସିଙ୍ଗଲା ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ। ବିଜୟ ସିଙ୍ଗଲା ଠିକା ଦେଉଥିବା ବେଳେ ଅଧିକାରୀଙ୍କଠାରୁ ଏକ ପ୍ରତିଶତ କମିଶନ ଦାବି କରିଥିଲେ। ଅନେକ ଦିନରୁ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା। ତେବେ ସିଙ୍ଗଲାଙ୍କ ବିରୋଧରେ ଦୃଢ଼ ପ୍ରମାଣ ମିଳିବା ପରେ ଭଗଓ୍ବନ୍ତ ମାନ ବିଜୟ ସିଙ୍ଗଲାଙ୍କୁ ନିଜ ମନ୍ତ୍ରୀମଣ୍ଡଳରୁ ହଟାଇ ଦେଇଛନ୍ତି। ରାଜ୍ୟରେ ଗୋଟିଏ ପ୍ରତିଶତ ଦୁର୍ନୀତିକୁ ବରଦାସ୍ତ କରାଯିବନି। ଜନତା ବହୁତ ବିଶ୍ୱାସର ସହ ଆମ ଆଦମୀ ପାର୍ଟିର ସରକାର ଗଢ଼ିଛନ୍ତି। ସେମାନଙ୍କ ଆଶା ପୂରଣ କରିବା ଆମର କର୍ତ୍ତବ୍ୟ ବୋଲି ମାନ କହିଛନ୍ତି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ଯେ ପର୍ଯ୍ୟନ୍ତ ଅରବିନ୍ଦ କେଜ୍ରିଓ୍ବାଲ ଭଳି ଭାରତ ମାତାର ପୁଅ ଅଛନ୍ତି ଏବଂ ଭଗଓ୍ବନ୍ତ ମାନଙ୍କ ଭଳି ସୈନ୍ୟ ଅଛନ୍ତି ସେପର୍ଯ୍ୟନ୍ତ ଦୁର୍ନୀତି ବିରୋଧରେ ମହାଯୁଦ୍ଧ ଜାରି ରହିବ।

Share