ପଜିଟିଭ ଅଧିକାରୀଙ୍କ ସମ୍ପର୍କରେ ଆସିବା ପରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ-ଗମ୍ଭୀର

ଚଣ୍ଡିଗଡ଼,୬।୧୧:କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତ ହୋଇଥିବା ଅଧିକାରୀଙ୍କ ସମ୍ପର୍କରେ ଆସିବା ପରେ ହୋମ କ୍ୱାରାଣ୍ଟାଇନ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ଅନ୍ୟପଟେ ଦିଲ୍ଲୀର ଭାଜପା ଏମ୍‌ପି ଗୌତମ ଗମ୍ଭୀର ମଧ୍ୟ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଅକ୍ଟୋବର ୩୧ରେ ମହର୍ଷି ବାଲ୍ମିକି ଜୟନ୍ତୀ ଅବସରରେ ଆୟୋଜିତ ହୋଇଥିବା ଏକ କ୍ୟାର୍ଯ୍ୟକ୍ରମରେ କ୍ୟାପଟେନ ଅମରିନ୍ଦର ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନେକ ଆଇଏଏସ୍‌ ଅଧିକାରୀ ମଧ୍ୟ ସାମିଲ ହୋଇଥିବା ବେଳେ ଅମରିନ୍ଦର ସେମାନଙ୍କୁ ସାକ୍ଷାତକାର କରିଥିଲେ। ହେଲେ ଏବେ ଉକ୍ତ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ନିଜକୁ ହୋମ୍‌ କ୍ୱାରାଣ୍ଟାଇନ୍‌ କରିନେଇଛନ୍ତି। ହୋମ୍‌ କ୍ୱାରାଣ୍ଟାଇନ୍‌ ହେବା ପରେ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଏହାପୂର୍ବରୁ ବି କରୋନାରେ ଆକ୍ରାନ୍ତ ହୋଇଥିବା କଂଗ୍ରେସ ବିଧାୟକଙ୍କ ସଂସ୍ପର୍ଶରେ ଆସିବାରୁ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ସେହିପରି ଦିଲ୍ଲୀର ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ଘରେ କେହି ଜଣେ କରୋନାରେ ଆକ୍ରାନ୍ତ ହେବାରୁ ନିଜକୁ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ କରିନେଇଛନ୍ତି। ଏଥିସହ ସେ ନିଜର କରୋନା ପରୀକ୍ଷା କରାଇଥିବା ବେଳେ ରିପୋର୍ଟକୁ ଅପେକ୍ଷା କରିଛନ୍ତି ବୋଲି ଗମ୍ଭୀର କହିଛନ୍ତି। ଏନେଇ ଗମ୍ଭୀର ଟୁଇଟ କରି ସୂଚନା ଦେଇଛନ୍ତି।

Share