Categories: ଜାତୀୟ

ପୋଲିସ ଅଧିକାରୀଙ୍କୁ ଘୋଷାଡ଼ି ନେଲା କାର୍‌

ପଟିଆଲା,୧୪।୮: ପଞ୍ଜାବର ପଟିଆଲାରେ ଗାଡ଼ି ଚେକିଂ ବେଳେ ଏକ କାର୍‌ ଜଣେ ପୋଲିସ କର୍ମୀଙ୍କୁ ଘୋଷାଡ଼ି ନେଇଥିଲା। ଏହି ଘଟଣାରେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି। ଘଟଣାର ଭିଡିଓରେ ଜଣେ ପୋଲିସ କର୍ମୀ ଏକ ଧଳା କାରକୁ ରୋକିବାକୁ ଉଦ୍ୟମ କରୁଛନ୍ତି। କାର୍‌ର ଚାଳକ ଗାଡ଼ିକୁ ରୋକିବା ପରିବର୍ତ୍ତେ ସ୍ପିଡ୍‌ ବଢ଼ାଇ ଚାଲିଥିଲେ। ପୋଲିସ କର୍ମୀଙ୍କ ଗୋଡ଼ ମାଡ଼ ହୋଇଥିଲା। ଗାଡ଼ିର ବୋନେଟ୍‌କୁ ଧରି ସେ ନିଜକୁ ସମ୍ଭାଳିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସନ୍ତୁଳନ ହରାଇବାରୁ ତାଙ୍କ ମୁଣ୍ଡ ବାଡ଼େଇ ହୋଇଥିଲା ଗାଡ଼ିର ବାମପଟ ମିରରରେ। ଏହାପରେ ସେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ।

ଆହତ ପୋଲିସ କର୍ମୀଙ୍କ ଚିକିତ୍ସା ଚାଲିଛି। ଗାଡ଼ି ଚେକିଂରୁ ବଞ୍ଚିବା ପାଇଁ ପୋଲିସ କର୍ମୀଙ୍କୁ ଘୋଷାଡ଼ି ନେଇଥିଲେ। ଗାଡ଼ିକୁ ଟ୍ରାକ ଡାଉନ କରାଯିବା ସହ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଡିଏସ୍‌ପି ହେମନ୍ତ ଶର୍ମା। ଗତ ବର୍ଷ ସମାନ ଘଟଣା ଘଟିଥିଲା ଦିଲ୍ଲୀର ଧଉଲା କୁଆନ ଅଞ୍ଚଳରେ। ଗାଡ଼ି ଯାଞ୍ଚ କରୁଥିବା ଟ୍ରାଫିକ୍‌ ପୋଲିସ କର୍ମୀଙ୍କୁ ୪୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ଏକ କାର୍‌।

Share