ପଞ୍ଜାବରେ ମୋଦିଙ୍କ ପ୍ରଥମ ରାଲି, କହିଲେ ଏହି ମାଟି ସହ ମୋର ରହିଛି ପୁରୁଣା ସମ୍ପର୍କ

ଚଣ୍ଡିଗଡ,୧୪ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପ୍ରଥମ କରି ସେଠାରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଜଳନ୍ଧରରେ ମୋଦି ଏକ ରାଲି କରିବା ସହ ଏକ ଜନସଭାରେ ଉଦବୋଧନ ଦେଇଛନ୍ତି । ମୋଦି କହିଛନ୍ତି ପଞ୍ଜାବ ମାଟି ସହ ମୋର ରହିଛି ପୁରୁଣା ସମ୍ପର୍କ । ମୋଦିଙ୍କ ଏହି ରାଲି ପାଇଁ ଜଳନ୍ଧରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ତାଙ୍କ ରାଲିରେ ଯୋଗଦେବାକୁ ଯାଇ ପାରି ନ ଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ, ଜାନୁୟାରୀରେ ପ୍ରଧାନମନ୍ତ୍ରୀ ଯେତେବେଳେ ପଞ୍ଜାବ ଗସ୍ତରେ ଆସିଥିଲେ ସେତେବେଳେ ତାଙ୍କୁ ଅଧାବାଟରେ କେତେଜଣ ପ୍ରଦର୍ଶନକାରୀ ଅଟକାଇ ଦେଇଥିଲେ । ଏହାପରେ ପଞ୍ଜାବ ସରକାରଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା । ସେଥିପାଇଁ ଏଥର ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପଞ୍ଜାବ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଷ୍ଟାର ପ୍ରଚାରକମାନେ ଜନତାଙ୍କ ନିକଟତର ହୋଇ ଦଳକୁ ବିଜୟୀ କରିବାର ମନ୍ତ୍ର ଦେଉଛନ୍ତି ।

Share