ଚଣ୍ଡିଗଡ,୯।୧: ପଞ୍ଜାବରେ ଏକ ଅଭାବନୀୟ ଘଟିଛି। ଏଠାରେ ପାଞ୍ଚ ଜଣ ପ୍ରବାସୀ ଶ୍ରମିକ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି ଏବଂ ଜଣେ ଶ୍ରମିକଙ୍କ ଅବସ୍ଥା ଗୁରୁତର ରହିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଶ୍ରମିକ ବିହାରର ବେଗୁସରାଇ ଜିଲାର ବୋଲି କୁହାଯାଉଛି।
ସୂଚନାନୁସାରେ, ରବିବାର ରାତି ପ୍ରାୟ ଦଶଟା ବେଳେ କାମ ଶେଷ କରିବା ପରେ ସତ୍ୟନାରାୟଣ ସାଧା, କରଣ ସାଧା, ସଚିନ କୁମାର, ରାଧେ ସାଧା, ଅମନ୍ତ କୁମାର ଏବଂ ଶିବରୁଦ୍ର ଶୀତରୁ ରକ୍ଷା ପାଇବା ପାଇଁ ରହୁଥିବା କୋଠରୀରେ ନିଆଁ ପୁଇଁଥିଲେ। ଏହି ସମୟରେ ସମସ୍ତେ ଶୋଇପଡିଥିଲେ। ସୋମବାର ସକାଳେ ଶ୍ରମିକମାନେ କାମକୁ ଆସୁ ନ ଥିବା ଦେଖି କଣ୍ଟ୍ରାକ୍ଟର ଶ୍ରମିକମାନଙ୍କୁ ଉଠାଇବା ପାଇଁ କୋଠରୀ କବାଟ ବାଡେଇଥିଲେ। କବାଟ ଭାଙ୍ଗି ଖୋଲିବା କ୍ଷଣି ୫ ଜଣଙ୍କ ମୃତଦେହ ମିଳିଥିଲା। ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।