Categories: ଜାତୀୟ

ପଞ୍ଜାବ ସରକାର ଶିଖ ଗୁରୁଦ୍ୱାରା ଅଧିନିୟମ ୧୯୨୫ ସଂଶୋଧନ କରିବେ, ବିଧାନସଭାରେ ଆଣିବେ ପ୍ରସ୍ତାବ…

ଚଣ୍ଡିଗଡ଼,୧୯।୬ : ପଞ୍ଜାବ ସରକାର ଶିଖ ଗୁରୁଦ୍ୱାରା ଅଧିନିୟମ ୧୯୨୫ ରେ ଏକ ନୂତନ ଧାରା ଯୋଡିବେ। ଶ୍ରୀ ହରମିନ୍ଦର ସାହିବରୁ ଗୁରୁବାଣୀର ପ୍ରସାରଣ ସମସ୍ତଙ୍କ ପାଇଁ ମାଗଣା ହେବ। ଏଥିପାଇଁ କୌଣସି ଟେଣ୍ଡର ଆବଶ୍ୟକ ହେବ ନାହିଁ। ସୋମବାର ଏହି ପ୍ରସ୍ତାବକୁ କ୍ୟାବିନେଟରେ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କହିଛନ୍ତି। ଜୁନ ୨୦ ରେ ବିଧାନସଭାରେ ଏହି ପ୍ରସ୍ତାବ ଉପସ୍ଥାପିତ ହେବ। ଏଥି ସହିତ ଏହାର ବିରୋଧ ମଧ୍ୟ ଆରମ୍ଭ ହୋଇଛି।

ମାନ୍‌ଙ୍କ ଘୋଷଣାକୁ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ସଭାପତି ଆଡଭୋକେଟ ହରଜିନ୍ଦର ସିଂ ଧାମି ଏନେଇ ଆପତ୍ତି ଜଣାଇଛନ୍ତି। ସେ କହିଛନ୍ତି ଆମ ଆଦମୀ ପାର୍ଟି ସରକାର ଶିଖମାନଙ୍କ ଧାର୍ମିକ କାର୍ଯ୍ୟରେ ସିଧାସଳଖ ହସ୍ତକ୍ଷେପ କରୁଛନ୍ତି। ଏଥିରେ ସିଧାସଳଖ ହସ୍ତକ୍ଷେପ କରିବାର ସରକାରଙ୍କର ଅଧିକାର ନାହିଁ।

ଧାମି କହିଛନ୍ତି ମାନ୍‌ ସରକାର ଜାଣନ୍ତି ନାହିଁ ପଞ୍ଜାବ ସରକାର ଶିଖ ଗୁରୁଦ୍ୱାର ଅଧିନିୟମ ୧୯୨୫ ରେ ହସ୍ତକ୍ଷେପ କରିପାରିବେ ନାହିଁ। ଏସଜିପିସିର ସୁପାରିଶ କ୍ରମେ ଏହାକୁ ସଂଶୋଧନ କରିବାରେ କେବଳ କେନ୍ଦ୍ର ସରକାରଙ୍କର ଅଧିକାର ରହିଛି। ମାନ୍‌ ନିଜର ରାଜନୈତିକ ସ୍ବାର୍ଥ ପାଇଁ ଶିଖ ସମ୍ପ୍ରଦାୟ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବା ବନ୍ଦ କରିବା ଉଚିତ। ଗୁରୁବାଣୀ ପ୍ରସାରଣ ସାଧାରଣ ପ୍ରସାରଣ ନୁହେଁ। ଏହାର ପବିତ୍ରତା ଏବଂ ସମ୍ମାନକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

Share