Categories: ଜାତୀୟ

୨୭ ସେଲିବ୍ରିଟିଙ୍କୁ ସୁରକ୍ଷା ଦେବେ ପଞ୍ଜାବ ସରକାର, ସମୀକ୍ଷା ଜାରି…

ଚଣ୍ଡିଗଡ଼, ୧।୬ : ପଞ୍ଜାବରେ ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସୱାଲାଙ୍କ ହତ୍ୟା ପରେ ଭିଭିଆଇପି ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାର ନିଜର ଭୁଲକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସରକାର ପୁଣିଥରେ ଭିଆଇପି ସୁରକ୍ଷା ସମୀକ୍ଷା କରିବା ଆରମ୍ଭ କରିଛନ୍ତି ଏବଂ ଅନେକ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଯୋଜନା କରିଛନ୍ତି। ମୋସେୱାଲାଙ୍କ ହତ୍ୟାକାଣ୍ଡ ପରେ ବହୁ ଲୋକ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଛି ଲୋକ ସରକାରଙ୍କୁ ମଧ୍ୟ ସିଧାସଳଖ ଆବେଦନ କରିଛନ୍ତି।

ସୂଚନା ଅନୁଯାୟୀ, ଏହା ଅନ୍ତର୍ଗତ ୨୭ ଜଣ ସେଲିବ୍ରିଟିଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ସୁରକ୍ଷା ସମ୍ପର୍କରେ ସରକାରଙ୍କୁ ବୁଧବାର ହାଇକୋର୍ଟରେ ଜବାବ ଦେବାକୁ ପଡିବ ଏବଂ ଭିଭିଆଇପି ସୁରକ୍ଷା ହଟାଇବା ବିଜ୍ଞପ୍ତି କିପରି ଜନସାଧାରଣଙ୍କ ନିକଟରେ ଲିକ ହୋଇଛି ତାହା ମଧ୍ୟ ଜଣାଇବାକୁ ପଡିବ। ସେଲିବ୍ରିଟିଙ୍କ ସୁରକ୍ଷା ପାଇଁ ସରକାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ପ୍ରତ୍ୟେକ ସେଲିବ୍ରିଟିଙ୍କୁ ୨୪ ଘଣ୍ଟା ପାଇଁ ୪ ରୁ ୬ ସୁରକ୍ଷା କର୍ମୀ ଯୋଗାଇ ଦିଆଯିବ।

ଏକ ରିପୋର୍ଟ ଅନୁଯାୟୀ, ଫିଲ୍ମ ଏବଂ ମ୍ୟୁଜିକ ଇଣ୍ଡଷ୍ଟ୍ରି ସହ ଜଡିତ କଳାକାରଙ୍କ ନାମ ସୁରକ୍ଷା ଦୃଷ୍ଟିରୁ ପୋଲିସ ବିଭାଗ ପ୍ରକାଶ କରିନାହାନ୍ତି। ଯଦିଓ ଏହା କୁହାଯାଉଛି ଯେ ଏହ୨୭ ଜଣ ସେଲିବ୍ରିଟି ମୋହାଲି, ଲୁଧିଆନା, ଜଲନ୍ଧର, ଫେରୋଜପୁର, ଭଟିଣ୍ଡା, ଫରିଦକୋଟ, ମୁକସର, ପଟିଆଲା, ଅମୃତସର ଜିଲାର ଅଟନ୍ତି ।

ଅପରପକ୍ଷରେ, ସିଦ୍ଧୁ ମୁସୱାଲା ହତ୍ୟା ହେବାର ଦୁଇ ଦିନ ପରେ ଗ୍ୟାଙ୍ଗଷ୍ଟରଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଅକାଲୀ ଦଳର ନେତା ବିକି ମିଡୁଖେଡାଙ୍କ ଭାଇ ଅଜୟ ପାଲ ସିଂ ମିଡୁଖେଡା ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ସୁରକ୍ଷା ଲୋଡିଛନ୍ତି।ତ୍‌ ଜଷ୍ଟିସ କରମଜିତ ସିଂଙ୍କ ଏକ ବେଞ୍ଚରେ ହାଜର ହୋଇଥିବା ଅଜୟ ପାଲ କହିଛନ୍ତି ଯେ ଦିଲ୍ଲୀ ପୋଲିସ ୧୭ ଜଣ ଗ୍ୟାଙ୍ଗଷ୍ଟରଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ଏହି ଗ୍ୟାଙ୍ଗଷ୍ଟରମାନଙ୍କ ମଧ୍ୟରୁ କେତେକ ବିକିଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ସ୍ବୀକାର କରିଛନ୍ତି। ତେଣୁ ତାଙ୍କ ଜୀବନ ପ୍ରତି ବିପଦରେ ଅଛି ଏବଂ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ଉଚିତ୍‌। ଏହା ଉପରେ ଜଷ୍ଟିସ କରମଜିତ ସିଂ ଉତ୍ତରଦାତାଙ୍କୁ ନୋଟିସ ଜାରି କରିଛନ୍ତି। ଅଗଷ୍ଟ ୧୮ରେ ଏହାର ପରବର୍ତ୍ତୀ ଶୁଣାଣି ପାଇଁ ବେଞ୍ଚ ସ୍ଥିର କରିଛି।

Share