ପଞ୍ଜାବ ରାଜ୍ୟପାଳ କରୋନା ପଜିଟିଭ, ୨ ଘଣ୍ଟା ପର୍ଯ୍ୟନ୍ତ ରହିଥିଲେ ଶହ ଶହ ପିଲାଙ୍କ ଗହଣରେ

ଚଣ୍ଡିଗଡ଼,୬ ।୮: ପଞ୍ଜାବର ରାଜ୍ୟପାଳ ତଥା ୟୁଟିର ପ୍ରଶାସକ ବନୱାରିଲାଲ ପୁରୋହିତ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସାଢେ ୪ଟାରେ ଆସିଥିବା ଯାଞ୍ଚ ରିପୋର୍ଟରେ ସେ କରୋନା ପଜିଟିଭ ଥିବା ଜଣାପଡିଥିଲା । ପୁରୋହିତ ଶୁକ୍ରବାର ସକାଳ ୧୦ଟା ୩୦ରୁ ଦ୍ୱିପ୍ରହର ୧୨ଟା ୩୦ ପର୍ଯ୍ୟନ୍ତ ସେକ୍ଟର ୧୮ ସ୍ଥିତ ଟାଗୋର ଥିଏଟରରେ ଭବନ ବିଦ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ସମୟରେ ଭାରତୀୟ ବିଦ୍ୟା ଭବନ ଚଣ୍ଡିଗଡ଼ କେନ୍ଦ୍ରର ଚେୟାରମ୍ୟାନ ଆରକେ ସାବୁ, ଭାଇସ ଚେୟାରମ୍ୟାନ ଜଗ୍ନେଶ ଖେତାନ, ସେକ୍ରେଟାରୀ ମଧୁକର ମାଲହୋତ୍ରା ଓ କେନ୍ଦ୍ର କମିଟିର ସଦସ୍ୟଙ୍କ ସହ ପୁରୋହିତ ଏକ ବୈଠକରେ ବସିଥିଲେ । ଏହାସହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଶହ ଶହ ଛାତ୍ରୀ ଛାତ୍ରଙ୍କ ସହ ମଧ୍ୟ ରାଜ୍ୟପାଳ ମିଶିଥିଲେ । ଏପଟେ ଡିପିଆର ଚଣ୍ଡିଗଡ଼ ପକ୍ଷରୁ ପୋରୋହିତଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଲକ୍ଷଣ ଦେଖାଦେଲେ ତୁରନ୍ତ କରୋନା ଟେଷ୍ଟ କରିଦେବାକୁ କୁହାଯାଇଛି । ତେବେ ପୁରୋହିତଙ୍କ ପାଖରେ କରୋନାର ଗମ୍ଭିର ଲକ୍ଷଣ ନ ଥିବାରୁ ସେ ଘରେ ହିଁ ଆଇସୋଲେଶନରେ ରହିଛନ୍ତି ।

Share