Categories: ଜାତୀୟ

ପଞ୍ଜାବରେ ଲାଗିପାରେ ରାଷ୍ଟ୍ରପତି ଶାସନ! ମୁଖ୍ୟମନ୍ତ୍ରୀ ଭଗବନ୍ତଙ୍କୁ ଚେତାବନୀ ଦେଲେ ରାଜ୍ୟପାଳ ବନଓ୍ବାରିଲାଲ

ଚଣ୍ଡିଗଡ,୨୫।୮: ପଞ୍ଜାବ ରାଜ୍ୟପାଳ ବନୱାରିଲାଲ ପୁରୋହିତ ଏବଂ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ରାଜ୍ୟପାଳ ବନୱାରିଲାଲ ପୁରୋହିତ ଶୁକ୍ରବାର ଭଗବନ୍ତ ସରକାରଙ୍କୁ ସମ୍ବିଧାନ ବିରୋଧରେ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କ ଚିଠିର ଉତ୍ତର ଦେଇ ନାହାଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ବନୱାରିଲାଲ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ଯଦି ସେ ତାଙ୍କ ଚିଠିର ଉତ୍ତର ନ ଦିଅନ୍ତି ତେବେ ସେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଚିଠି ଲେଖି ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବେ। ରାଜ୍ୟରେ ସାମ୍ବିଧାନିକ ତନ୍ତ୍ରର ବିଫଳତା ପାଇଁ ସେ ଆପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପୁରୋହିତ ଚେତାବନୀ ଦେଇଛନ୍ତି।

ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ପୁରୋହିତ ପଞ୍ଜାବର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ତାଙ୍କ ଚିଠିର ଉତ୍ତର ମାଗିଥିଲେ। ଏଥିସହ ସେ ରାଜ୍ୟରେ ବ୍ୟାପକ ନିଶା କାରବାର ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମଧ୍ୟ ମାଗିଛନ୍ତି।

ସୂଚନାଯୋଗ୍ୟ, ଲୁଧିଆନାରେ ନିଶା କାରବାର କରୁଥିବା ୬୬ ଟି ମଦ ଦୋକାନକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଚଣ୍ଡିଗଡ଼ ପୋଲିସ ନିକଟରେ ସିଜ୍‌ କରିଥିଲା। ସଂସଦୀୟ ଷ୍ଟାଣ୍ଡିଂ କମିଟିର ନିକଟରେ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ଯେ ପଞ୍ଜାବର ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ନିଶା ସେବନ କରୁଛନ୍ତି। ରାଜ୍ୟପାଳ କହିଛନ୍ତି ଯେ, ଏହି ତଥ୍ୟ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଷ୍ଟ କରିଛି। ନିଶା କାରବାର ବିରୋଧରେ ନିଆଯାଇଥିବା କାର୍ଯ୍ୟନୁଷ୍ଠାନ ରିପୋର୍ଟ ତୁରନ୍ତ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share