Categories: ଜାତୀୟ

୪୨୪ ରାଜନେତା, ଧର୍ମଗୁରୁଙ୍କ ହଟିଲା ସୁରକ୍ଷା

ଚଣ୍ଡିଗଡ଼,୨୮।୫: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ନେତୃତ୍ୱାଧିନ ସରକାର ଶନିବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ୪୨୪ଜଣଙ୍କୁ ପ୍ରଦାନ କରାଯାଇଥିବା ସୁରକ୍ଷାକୁ ତୁରନ୍ତ ପ୍ରଭାବରେ ରାଜ୍ୟ ସରକାର ପ୍ରତ୍ୟାହାର କରିନେଇଛନ୍ତି। ଏଥିସହ ଏଥିରେ ସମ୍ପୃକ୍ତ ଥିବା ପୋଲିସ କର୍ମଚାରୀଙ୍କୁ ଶନିବାର ଜଲନ୍ଧର କ୍ୟାଣ୍ଟରେ ପୋଲିସର ସ୍ବତନ୍ତ୍ର ମହାନିର୍ଦ୍ଦେଶକ, ରାଜ୍ୟ ସଶସ୍ତ୍ର ପୋଲିସ, ଜେଆରସିଙ୍କୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁରକ୍ଷା ପ୍ରତ୍ୟାହାର କରିନିଆଯାଇଥିବା ଲୋକଙ୍କ ମଧ୍ୟରେ ଅବସରପ୍ରାପ୍ତ ପୋଲିସ ଅଧିକାରୀ, ଧାର୍ମିକ ନେତା ଏବଂ ରାଜନେତା ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି)ସରକାର ସୁରକ୍ଷା ପ୍ରତ୍ୟାହାର କରିନେବା ପରମ୍ପରା ଜାରି ରଖିଛନ୍ତି। ଏହି କ୍ରମରେ ଗତ ଏପ୍ରିଲ ମାସରେ ମଧ୍ୟ ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କ ତଥା ଅନ୍ୟ ନେତାଙ୍କ ସମେତ ୧୮୪ଜଣଙ୍କ ସୁରକ୍ଷାକୁ ପ୍ରତ୍ୟାହାର କରିନିଆଯାଇଥିଲା।

Share