Categories: ଖେଳ

ଉଭୟ ବର୍ଗର ଗ୍ରାଣ୍ଡ୍‌ ଫାଇନାଲରେ ପଞ୍ଜାବ

ପୁରୀ ଅଫିସ, ୯ା୨: ତାଳବଣିଆସ୍ଥିତ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ୪୪ତମ ସର୍ବଭାରତୀୟ ସଫ୍ଟବଲ ଚାମ୍ପିୟନଶିପ୍‌ର ଚତୁର୍ଥ ଦିବସରେ ବୁଧବାର ଉଭୟ ପୁରୁଷ ଓ ମହିଳା ବିଭାଗର ସେମି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ମହିଳା ବିଭାଗର ପ୍ରଥମ ସେମିଫାଇନାଲରେ ମହାରାଷ୍ଟ୍ର ଓ କେରଳ ପରସ୍ପରକୁ ଭେଟିଥିଲେ। ଏଥିରେ ମହାରାଷ୍ଟ୍ର ୧-୦ରେ କେରଳକୁ ହରାଇ ସିଧାସଳଖ ଗ୍ରାଣ୍ଡ ଫାଇନାଲରେ ପ୍ରବେଶ କରିଛି। ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ପଞ୍ଜାବ ଓ ଛତିଶଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ପଞ୍ଜାବ ୪-୦ରେ ଛତିଶଗଡ଼କୁ ହରାଇ ଫାଇନାଲ୍‌କୁ ଯାଇଥିଲା। ପରେ ଫାଇନାଲ ମ୍ୟାଚରେ ପଞ୍ଜାବ ୫-୦ରେ କେରଳକୁ ହରାଇ ଗ୍ରାଣ୍ଡ ଫାଇନାଲରେ ପ୍ରବେଶ କରିଛି। ଫଳରେ ଗ୍ରାଣ୍ଡ ଫାଇନାଲରେ ମହାରାଷ୍ଟ୍ର ଓ ପଞ୍ଜାବ ସାମ୍ନାସାମ୍ନି ହେବେ।

ପୁରୁଷ ବିଭାଗର ପ୍ରଥମ ସେମିଫାଇନାଲ ମ୍ୟାଚ ପଞ୍ଜାବ ଓ ଛତିଶଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଞ୍ଜାବ ୬-୫ରେ ଛତିଶଗଡ଼କୁ ହରାଇ ସିଧାସଳଖ ଗ୍ରାଣ୍ଡ ଫାଇନାଲରେ ପହଞ୍ଚିଛି। ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଆନ୍ଧ୍ରପ୍ରଦେଶ ୨-୦ରେ ମଧ୍ୟପ୍ରଦେଶକୁ ହରାଇଛି। ଗୁରୁବାର ପ୍ରଥମେ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ମଧ୍ୟରେ ଫାଇନାଲ ମ୍ୟାଚ ହେବ। ଉକ୍ତ ମ୍ୟାଚର ବିଜେତା ଦଳ ଗ୍ରାଣ୍ଡ ଫାଇନାଲରେ ଚାମ୍ପିଅନ ପାଇଁ ପଞ୍ଜାବ ସହିତ ଲଢେଇ କରିବ। ତୃତୀୟ ଦିବସରେ ଅତିଥି ଭାବେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ଓ ସମାଜସେବୀ ଚକ୍ରଧର ମହାପାତ୍ର ଯୋଗଦେଇଥିଲେ।

Share