ଲାଲା ଲଜ୍ପତ ରାୟ ଜଣେ ଭାରତୀୟ ସ୍ବାଧୀନତା ସଂଗ୍ରାମୀ, ରାଜନେତା ଏବଂ ଲେଖକ ଭାବେ ଜଣାଶୁଣା ଥିଲେ। ସେ ପଞ୍ଜାବ କେଶରୀ ଭାବରେ ମଧ୍ୟ ଲୋକପ୍ରିୟ ଥିଲେ। ସେ ଲାଲ୍ ବାଲ୍ ପାଲ୍ ତିନିଜଣ ସଦସ୍ୟଙ୍କ ମଧ୍ୟରୁ ଜଣେ। ବ୍ରିଟିଶ୍ ସାଇମନ କମିଶନଙ୍କର ଭାରତୀୟ ସାମ୍ବିଧାନିକ ସଂସ୍କାର ବିରୋଧରେ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବା ସମୟରେ ସେ ଲାହୋରରେ ପୋଲିସ ଲାଠିଚାର୍ଜର ସମ୍ମୁଖୀନ ହୋଇଥିଲେ। ୧୮ ଦିନ ପରେ ମୁଣ୍ଡରେ ଆଘାତ ଲାଗିଥିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।
ଲଜ୍ପତ ରାୟ ୨୮ ଜାନୁଆରୀ ୧୮୬୫ରେ ଏକ ଅଗ୍ରୱାଲ ଜୈନ ପରିବାରରେ ଭାରତର ପଞ୍ଜାବ ପ୍ରଦେଶର ଫରିଦକୋଟ ଜିଲା ଅନ୍ତର୍ଗତ ଧୁଦିକେଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ମୁନ୍ସୀ ରାଧାକ୍ରିଷ୍ଣ ସରକାରୀ ବିଦ୍ୟାଳୟର ଉର୍ଦ୍ଦୁ ଏବଂ ପାର୍ସୀ ଶିକ୍ଷକ ଥିଲେ। ମା’ ଗୁଲାବ ଦେବୀ ଅଗ୍ରୱାଲଙ୍କର ୬ ଜଣ ସନ୍ତାନଙ୍କ ମଧ୍ୟରେ ସେ ଜ୍ୟେଷ୍ଠ ପୁତ୍ର ଭାବରେ ଜନ୍ମ ହୋଇଥିଲେ। ତାଙ୍କର ବିଦ୍ୟାଳୟ ଶିକ୍ଷା ଜାଗ୍ରୋନରେ ସମ୍ପନ୍ନ ହୋଇଥିଲା।
ଜାତୀୟ କଂଗ୍ରେସରେ ଯୋଗଦେବା ପରେ ପଞ୍ଜାବରେ ରାଜନୈତିକ ଆନ୍ଦୋଳନରେ ଯୋଗ ଦେଇଥିଲେ। ୧୯୨୦ର କଲିକତା ସ୍ବତନ୍ତ୍ର ଅଧିବେଶନରେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ୧୯୨୧ ମସିହାରେ ସେ ଲାହୋରରେ ସେବର୍ସ ଅଫ୍ ପିପୁଲ୍ସ ସୋସାଇଟି ପ୍ରତିଷ୍ଠା କରିଥିଲେ, ଯାହା ଦେଶ ବିଭାଜନ ପରେ ଏହାର ଆଧାର ଦିଲ୍ଲୀକୁ ସ୍ଥାନାନ୍ତର କରିଥିଲା। ସେ ସବୁବେଳେ କହୁଥିଲେ ହିନ୍ଦୁ ସମାଜକୁ ଜାତିଭେଦ, ମହିଳାଙ୍କ ସ୍ଥିତି ଏବଂ ଅସ୍ପୃଶ୍ୟତା ବିରୋଧରେ ଲଢ଼େଇ କରିବାକୁ ପଡ଼ିବ। ବେଦ ହିନ୍ଦୁଧର୍ମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଏହାକୁ ସମସ୍ତଙ୍କୁ ପଢ଼ିବାର ଅନୁମତି ଦେବା ଆବଶ୍ୟକ। ୧୯୨୮ ନଭେମ୍ବର ୧୭ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।