Categories: ଖେଳ

ଆଗାମୀ ସିଜନରେ ଅଧିନାୟକ ବଦଳାଇବ ପଞ୍ଜାବ କିଙ୍ଗ୍ସ? ବୟାନ ଜାରି କରି ସ୍ପଷ୍ଟ କଲା ଫ୍ରାଞ୍ଚାଇଜ୍‌…

ନୂଆଦିଲ୍ଲୀ,୨୪।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୩ ଆଉ ଢ଼େର ସମୟ ବାକି। ହେଲେ ଏବେଠାରୁ ଚର୍ଚ୍ଚାରେ ଆଇପିଏଲ୍‌ ଟିମ୍‌। କିଛିଦିନ ପୂର୍ବେ ପଞ୍ଜାବ କିଙ୍ଗ୍ସ କୋଚ୍‌ ଅନିଲ କୁମ୍ବଲେଙ୍କୁ ବାହାର କରି ନୂଆ କୋଚ୍‌ ନିଯୁକ୍ତ କରିପାରେ ବୋଲି କୁହାଯାଉଥିଲା। ଏବେ ଅନ୍ୟ ଏକ ଚର୍ଚ୍ଚାରେ ଦଳ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲଙ୍କୁ ବାଦ୍‌ ଦେଇପାରେ ବୋଲି କୁହାଯାଇଥିଲା। ଏହାପରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଆଧିକାରୀକ ଭାବେ ବୟାନ ଜାରି କରାଯାଇଛି।

ପଞ୍ଜାବ କିଙ୍ଗ୍ସ ବୟାନରେ କହିଛି, ଏକ ସ୍ପୋଟ୍ସ ଓ୍ବେବ୍‌ସାଇଟ୍‌ ଦ୍ୱାରା ପଞ୍ଜାବ କିଙ୍ଗ୍ସର ଅଧିନାୟକକୁ ନେଇ ଏକ ଖବର ପ୍ରକାଶିତ ହୋଇଛି। ଆମେ ସ୍ପଷ୍ଟ କରୁଛୁ ଯେ ଫ୍ରାଞ୍ଚାଇଜର କୌଣସି ସଦସ୍ୟ ଏଭଳି ବୟାନ ଦେଇନାହିଁ।

କହିରଖୁଛୁ, ଆଇପିଏଲ୍‌ ୨୦୨୨ ପୂର୍ବରୁ ମେଗା ଅକ୍ସନ ହୋଇଥିଲା। ଏଥିରେ ପଞ୍ଜାବ କିଙ୍ଗ୍ସ ଏହାର ଖେଳାଳି ପରିବର୍ତ୍ତନ କରିଥିଲା। କେବଳ ମୟଙ୍କଙ୍କୁ ରିଟେନ କରାଯାଇ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା। ହେଲେ ଦଳ ପ୍ଲେଅଫ୍‌ରେ ପହଞ୍ଚି ପାରି ନ ଥିଲା। ଅଧିନାୟକ ଭାବେ ମୟଙ୍କଙ୍କ ପ୍ରଦର୍ଶନ ସେତେଟା ପ୍ରଶଂସନୀୟ ନ ଥିଲା। ଏହାକୁ ନେଇ ଏକ ରିପୋର୍ଟରେ ସେ ଆଗାମୀ ସିଜନରେ ଦଳର ଅଧିନାୟକ ରହିବେ ନାହିଁ ବୋଲି କୁହାଯାଇଥିଲା। ଏହାକୁ ଏବେ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖଣ୍ଡନ କରାଯାଇଛି।

Share