Categories: ଖେଳ

ପଞ୍ଜାବର ଦମ୍‌ଦାର ବିଜୟ

ମୁମ୍ବାଇ,୨୨।୪: ମୁମ୍ବାଇସ୍ଥିତ ଓ୍ବାଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୩୧ତମ ହାଇସ୍କୋରିଂ ମ୍ୟାଚ୍‌ରେ ପଞ୍ଜାବ ୧୩ ରନ୍‌ରେ ବିଜୟୀ ହୋଇଛି। ଏହି ବିଜୟ ସହ ପଞ୍ଜାବ ୮ ପଏଣ୍ଟ ପାଇ ଟେବୁଲର ପଞ୍ଚମସ୍ଥାନକୁ ଉନ୍ନିତ ହୋଇଛି। ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୧୪ ରନ୍‌ କରିଥିଲା। ଫଳରେ ମୁମ୍ବାଇ ଆଗରେ ୨୧୫ ରନ୍‌ର ବିଶାଳ ଟାର୍ଗେଟ ରଖିଥିଲା ପଞ୍ଜାବ। ୨୧୫ ରନର୍‌ର ପିଛା କରି ମୁମ୍ବାଇ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୨୦୧ ରନ୍‌ କରିଥିଲା।

ଅନ୍ତିମ ଓଭରରେ ମୁମ୍ବାଇକୁ ୧୫ ରନ୍‌ ଆବଶ୍ୟକ ଥିବା ବେଳେ ଅର୍ଶଦୀପ ସିଂ ତୃତୀୟ ଏବଂ ଚତୁର୍ଥ ବଲ୍‌ରେ ତିଲକ ବର୍ମା(୩) ଓ ନେହାଲ ଓ୍ବଧେରା(୦)ଙ୍କୁ କିନ୍‌ବୋଲ୍ଡ କରିଥିଲେ। ଉଭୟ ବୋଲ୍ଡରେ ସେ ଦୁଇ ଥର ମିଡିଲ ଷ୍ଟମ୍ପ ଭାଙ୍ଗି ଦେଇଥିଲେ। ଅନ୍ତିମ ଓଭରରେ ୨ ରନ୍‌ ଦେଇ ୨ ଉଇକେଟ ନେଇଥିଲେ ଅର୍ଶଦୀପ ।

୨୧୫ ରନ୍‌ ଜବାବରେ ମୁମ୍ବାଇ ଦ୍ୱିତୀୟ ଓଭରରେ ଇଶାନ କିଶନ(୧)ଙ୍କ ଉଇକେଟ ହରାଇଥିଲା। ରୋହିତ ଶର୍ମା(୪୪) ଏବଂ କାମେରନ୍‌ ଗ୍ରୀନ୍‌(୬୭) ଦ୍ୱିତୀୟ ଉଇକେଟରେ ୭୬ ରନ୍‌ ଯୋଡିଥିଲେ। ଲିଭିଙ୍ଗଷ୍ଟୋନଙ୍କ ବଲରେ ରୋହିତ ଶର୍ମା ଆଉଟ ହେବା ପରେ ଗ୍ରୀନ୍‌ ଓ ସୂର୍ଯ୍ୟକୁମାର ଯାଦବ (୫୭) ଇନିଂସ ସମ୍ଭାଳିଥିଲେ। ଗ୍ରୀନ୍‌ ୪୩ ବଲ୍‌ ଖେଳି ୬ ଚୌକା ଓ ୩ ଛକା ମାରିଥିଲେ। ଫର୍ମକୁ ଫେରିଥିବା ସୂର୍ଯ୍ୟକୁମାର ଯାଦବ ୨୬ ବଲ୍‌ ଖେଳି ୭ ଚୌକା ଓ ୩ ଛକା ମାରିଥିଲେ। ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ୪ ଉଇକେଟ ନେଇଥିବା ବେଳେ ନାଥାନ ଏଲିସ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share